ମହର୍ଷି ବିକ୍ରମଦେବ ବର୍ମାଙ୍କ ନାମରେ ଏୟାରଷ୍ଟ୍ରିପକୁ ନାମିତ ଦାବି

ଜୟପୁର: ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ୧୫୩ ତମ ଜୟନ୍ତୀ ସ୍ଥାନୀୟ ଯାଦବ ଭବନ ଠାରେ ପାଳନ କରାଯାଇଛି। ସ୍ଥାନୀୟ ବିକ୍ରମଦେବ ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ସକାଳୁ ସମୟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଉତ୍କଳ ସମ୍ମିଳନୀ, କୋରାପୁଟ ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିକ୍ରମଦେବଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

ନାଲକୋ ଦାମନଯୋଡି ତରଫରୁ ଆଜି ଦାମନଯୋଡି ଠାରେ ବିକ୍ରମଦେବ ବର୍ମାଙ୍କ ନାମରେ ଏକ ଉଦ୍ୟାନର ନାମିତ ସହ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିବା ବିଷୟରେ ଆଲୋଚନା କରାଯାଇଥିଲା। ଏନେଇ ଜୟପୁର ଠାରେ ନିର୍ମାଣ ଚାଲିଥିବା ଏୟାରଷ୍ଟିପକୁ ବିକ୍ରମଦେବ ବର୍ମାଙ୍କ ନାମରେ ନାମିତ କରିବାକୁ ଅତିଥିମାନେ ଦାବି କରିଥିଲେ। ସର୍ବଦଳୀୟ ବୈଠକ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ବିଷୟରେ ମତ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଓ ସମ୍ମାନୀୟ ଅତିଥି ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ୟ୍ୟ ନାରାୟଣ ରଥ ଯୋଗ ଦେଇ ବିକ୍ରମଦେବ ବର୍ମାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ସଙ୍ଗଠନ ସଂପାଦକ ଚନ୍ଦ୍ରକାନ୍ତ ସୁତାର, ରାଜ୍ୟ ପରିଷଦର ସଦସ୍ୟ ରାଜେନ୍ଦ୍ର ଗୌଡ, ଆଇନଜୀବୀ ବାଲା ରାୟ, ପରମେଶ୍ବର ପାତ୍ର, ଦେବେନ୍ଦ୍ର ବାହିନୀପତି, କୃଷ୍ଣଚନ୍ଦ୍ର ନେପାକ, ଡ଼ ଦେବୀ ପ୍ରସାଦ ହୋତା, ଜିଲ୍ଲା କୋଷାଧ୍ୟକ୍ଷ ନବକୃଷ୍ଣ ରଥ, କୃଷ୍ଣଚନ୍ଦ୍ର ହୋତା, ଶିବପ୍ରସାଦ ପଟ୍ଟନାୟକ, ଦୁର୍ଗାମାଧବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ନବୀନ ମାଦଳା ଧନ୍ୟବାଦ ଅର୍ପଣ କରିଥିଲେ।

କରୋନା କଟକଣା ଯୋଗୁଁ ପ୍ରତିବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜୟପୁର ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଜୟପୁରଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ବିକ୍ରମ ଜୟନ୍ତୀ ଚଳିତବର୍ଷ କେବଳ ୱଭିନାର ମାଧ୍ୟମରେ ପାଳନ କରାଯାଇଛି। ଏଥିରେ ସଙ୍ଗୀତା ପଣ୍ଡା ବିକ୍ରମ ସଂଗୀତ ଗାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ.ହୃଷିକେଶ ମଲ୍ଲିକ, ଉପସଭାପତି ଡ.ସଂଗ୍ରାମ ଜେନା, ପ୍ରାବନ୍ଧିକ ଡ.ଫଣୀନ୍ଦ୍ର ଭୂଷଣ ନନ୍ଦ, ସଚିବ ଡ. ପ୍ରୋବଧ ରାଉତ, ପ୍ରାବନ୍ଧିକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ଜୟପୁର ସାହିତ୍ୟ ପରିଷଦ ତରଫରୁ ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ପୁଣ୍ୟ ତିଥିରେ ସ୍ଥାନୀୟ ବିକ୍ରମଦେବ ମହାବିଦ୍ୟାଳୟ ସ୍ଥିତ ବିକ୍ରମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସାହିତ୍ୟ ପରିଷଦର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ କୋରାପୁଟ ଜିଲ୍ଲା ସଭ୍ୟ ଲକ୍ଷ୍ମୀକାନ୍ତ ପାଢ଼ିଙ୍କ ନେତୃତ୍ୱରେ ଯଜ୍ଞେଶ୍ଵର ପଣ୍ଡା , ନବକୃଷ୍ଣ ରଥ , ତେଜେଶ୍ୱର ପଣ୍ଡା , ଅଶୋକ ମହାରଣା , ଅଶୋକ କୁମାର ପୋଲେଇ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର