ଖୋର୍ଦ୍ଧା: ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀକୁ ଦିଆଯାଇଥିବା ଏକର୯.୬୮୫ଡେସିମଲ ଜମିରେ ୭୯୯ଟି ଶାଗୁଆନ ଗଛ, ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଖୁଣ୍ଟ ଓ ଖୋର୍ଦ୍ଧା ଗଡ଼-ବରୁଣେଇ ସଂଯୋଗ କରୁଥିବା ପକ୍କା ସଡ଼କ ରହିଛି। ପାଇକ ସ୍ମାରକୀ ନିର୍ମାଣ ନେଇ ବର୍ତ୍ତମାନ ଅନିଶ୍ଚିତତା ଲାଗି ରହିଥିବା ବେଳେ ସେହି ଜମି ମଧ୍ୟ ଦେଇ ଯାଇଥିବା ସଡ଼କର ବର୍ତ୍ତମାନ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ କଳିଙ୍ଗ ପାଇକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଶୁକ୍ରବାର କଳିଙ୍ଗ ପାଇକ ସଙ୍ଗଠନର ସଭାପତି ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ରାମନାରାୟଣ ଦାଶ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଭେଟି ଏନେଇଏକ ଦାବିପତ୍ର ଦେଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ ଗଛ, ବିଦ୍ୟୁତ୍ ଖୁଣ୍ଟ ପୁରୁଣା ରାସ୍ତାକୁ ହଟାଇବାକୁ ଆବଶ୍ୟକ ଅର୍ଥ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ରାଜ୍ୟ ସରକାରଙ୍କ ନିକଟରେ ଜମା ଦେଇଛି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ସଡ଼କ ହଟାଇବା ପରିବର୍ତେ ସେହି ସଡ଼କର ସମ୍ପ୍ରସାରଣ କରାଯାଉଛି। ଏହି ସମ୍ପ୍ରସାରଣ ଦ୍ବାରା ପାଇକ ସ୍ମାରକୀକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଆହୁରି ଦୃଢ଼ୀଭୂତ ହୋଇଛି। ଏଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ। ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ସଡ଼କ ଖୋର୍ଦ୍ଧା ଶିଳ୍ପାଂଚଳ ସହ ସଂଯୋଗ ରହିଛି। ସେହି ରାସ୍ତା ଦେଇ ଅନେକ ଭାରୀ ଯାନ ନିୟମିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ଇଡ୍କୋ ସେହି ସଡ଼କର ସମ୍ପ୍ରସାରଣ କରୁଥିବା ଜଣାଯାଇଛି।