ଖୋର୍ଦ୍ଧା: ମଳିପଡ଼ା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପୁରାତନ ଶ୍ରୀଅନନ୍ତେଶ୍ୱର ମନ୍ଦିରର ସୁରକ୍ଷା ଦାବି ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଏକ ସଭା ଆୟୋଜନ ହୋଇଛି। ଆଜି ପୂର୍ବାହ୍ନରେ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚଙ୍କ ପ୍ରତିନିଧି, ୱାର୍ଡ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ରାଜପଥ ପ୍ରଶସ୍ତୀକରଣ ପୂର୍ବରୁ ମନ୍ଦିରଟି ରାଜପଥର ଠିକ୍ କଡ଼ରେ ଥିଲା। କିନ୍ତୁ ପ୍ରଶସ୍ତୀକରଣ ପରେ ମନ୍ଦିର ଠାରୁ ପ୍ରାୟ ୬ ଫୁଟ୍‌ ଉପରେ ରାଜପଥ ନିର୍ମାଣ ହୋଇଛି। ମନ୍ଦିରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ବର୍ଷା ହେଲେ ଜମା ହେଉଥିବା ପାଣି ନିଷ୍କାସନର ବ୍ୟବସ୍ଥା ହୋଇନାହିଁ। ଫଳରେ ପାଣି ଜମି ରହି ମନ୍ଦିର ପ୍ରାଚୀର ଆଦି ଭାଙ୍ଗିଯିବା ସମ୍ଭାବନା ରହିଛି।

Advertisment

ମନ୍ଦିର ପଛପଟେ ଏକ ଶତବର୍ଷର ପୁରାତନ ପୋଖରୀ ଥିବା ବେଳେ ସେଠାକୁ ଯିବାକୁ ମଧ୍ୟ ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଏନେଇ ଗ୍ରାମବାସୀ ମାନେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ କରୁଥିବା ଠିକା ସଂସ୍ଥା ଓ ରାଜପଥ କର୍ତ୍ତୃପକ୍ଷକୁ କହିଥିଲେ। ଅନ୍ତତଃ ରାଜପଥରୁ ତଳକୁ ଓହ୍ଲାଇବା ପାଇଁ ଏକ ପାବଛ ଓ ବର୍ଷା ଜଳ ନିଷ୍ପାସନ ପାଇଁ ନାଳର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କ ଦାବିପ୍ରତି କେହି କର୍ଣ୍ଣପାତ କରିନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ରାଜପଥ ଉପରେ ଧାରଣା ଦେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।