ଖୋର୍ଦ୍ଧା: ଆସନ୍ତାକାଲି ଗଣେଶ ପୂଜା। ଏହାପର ଠାରୁ ପାର୍ବଣ ଋତୁ ଆରମ୍ଭ ହେବ। ତେବେ ଆଜି ଖୋର୍ଦ୍ଧା ସହରରେ ଗଣେଶ ପୂଜା ପାଇଁ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଯେଉଁ ଟ୍ରାଫିକ୍ ପୁଲିସ ମୁତୟନ ହୋଇଥିଲେ ସେମାନେ ମଧ୍ୟ ଭିଡ଼ ସମ୍ଭାଳି ନପାରି ନିରବଦ୍ରଷ୍ଟା ସାଜିଥିଲେ। ଆସନ୍ତାକାଲି ଗଣେଶ ପୂଜା। ଏଣୁ ଆଜି ସକାଳୁ ଖୋର୍ଦ୍ଧା ସହରର ଦୋକାନ ବଜାରରେ ଗହଳି ଦେଖିବାକୁ ମିଳିଥିଲା। ଯଦିଓ କରୋନା କଟକଣା ହେତୁ ଜାକଜମକରେ ସର୍ବସାଧାରଣ ପୂଜା, ଅନୁଷ୍ଠାନରେ ପୂଜା ଆଦି ହେଉନାହିଁ, ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିକ୍ରି ମଧ୍ୟ ମାନ୍ଦା ରହିଛି। କିନ୍ତୁ ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଯଥେଷ୍ଟ ରହିଥିବା ଦେଖିବାକୁ ମିଳିଛି। ଗୋଡ଼ିପୋଖରୀ ଠାରୁ ପୁରୁଣା ବସ୍ଷ୍ଟାଣ୍ତ ଓ ପୁରୁଣା ବସ୍ଷ୍ଟାଣ୍ଟ ଛକ ଠାରୁ କୋର୍ଟ ଛକ ଯାଏଁ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଟ୍ରାଫିକ୍ ନିୟନ୍ତ୍ରଣରେ ଥିବା ଦୁଇ ତିନିଜଣ ପୁଲିସ କର୍ମଚାରୀ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇ ଶେଷରେ ଚୁପ୍ ରହିଯାଇଥିଲେ। ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗହଳି ବଢ଼ିଛି।
ଏଭଳି ସ୍ଥିତିରେ ଏଭଳି ଭିଡ଼ ଓ ଭିଡ଼ରେ ଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ରାସ୍ତାଘାଟରେ ଛେପ ନ ପକାଇବା ଆଦି ନିୟମକୁ ଆଉ ମାନୁ ନାହାଁନ୍ତି। କେବଳ ଏହା ନୁହେଁ ଭିଡ଼ ସମୟରେ ସହରର ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରଶାସନର ଯେଉଁ ତତ୍ପରତା ଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ। ନୟାଗଡ଼ ଓ ପଶ୍ଚିମ ଓଡ଼ିଶାକୁ ଯାଉଥିବା ଯାନବାହନ ଗୁଡ଼ିକ ଜଟଣୀ ବାଇପାସ୍ରୁ ମୁକୁନ୍ଦପ୍ରସାଦ ଦେଇ ସହର ମଧ୍ୟରେ ପ୍ରବେଶ କରୁଥିବାରୁ ଦୀର୍ଘ ସମୟ ଧରି ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ ହୋଇ ରହୁଛି। ଏପରିସ୍ଥଳେ ନୟାଗଡ଼ ଓ ୫୭ ନମ୍ବର ଜାତୀୟ ରାଜପଥ ଦେଇ ଯିବାକୁ ଥିବା ଯାନବାହାନ ବିଶେଷତଃ ଟ୍ରକ୍ ଓ ବସ୍ ଗୁଡ଼ିକ ସଂକୀର୍ଣ୍ଣ ଓ ଜନବହୁଳ ବଜାର ରାସ୍ତା ବଦଳରେ ଗାନ୍ଧିପଡ଼ିଆରୁ ନୂଆ ବସ୍ଷ୍ଟାଣ୍ତ ଦେଇ ଅତିକ୍ରମ କରିବା ବ୍ୟବସ୍ଥା କରିବା, ଦୋକାନ ବଜାରରେ କରୋନା କଟକଣା ପାଳନ ନେଇ ସଚେତନ କରାଇବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।