ଦୁରୁଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଜୟପୁର : ଦୁରୁଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବୀରେ ଦୁରୁଆ ଆଦିବାସୀ ମହିଳା ମହାସଂଘ ତରଫରୁ ଶତାଧିକ ମହିଳା, ପୁରୁଷ, ଏହି ସଂପ୍ରଦାୟର ଛାତ୍ରଛାତ୍ରୀ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ରାଜ୍ୟ ବିଜେପିର ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ , ସଂଜୟ ବେହେରା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ।

ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ବିବେଦୀ ଗତ ୨୦୧୯ ପେବୃଆରୀ ୧୪ରେ ଦୁରୁଆ ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣପତ୍ର ଦେବାପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ତେବେ ଏହି ନିର୍ଦେଶନାମାକୁ ଜିଲ୍ଲାପ୍ରଶାସନ କାର୍ଯ୍ୟକାରୀ କରିନି। ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ଜଣାଇବା ପରେ ସୁଦ୍ଧା ଜାତିଗତ ପ୍ରମାଣପତ୍ର ପାଇ ନ ଥିବା ଧାରଣାରେ ବସିଥିବା ମହିଳା ଓ ପୁରୁଷ ମାନେ କହିଛନ୍ତି। ଅପରାହ୍ନ ୫ଟାରେ ଉପଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ। ଏହି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ସହ ଶ୍ରୀ ସାମନ୍ତରାୟ ଆଲୋଚନା କରିଥିଲେ। ସେ ଏ ନେଇ ଜିଲ୍ଲାପାଳ ଓ ରାଜ୍ୟସରକାରଙ୍କୁ ଅବଗତ କରିବା ସହ ଆସନ୍ତା ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ବରିଷ୍ଠ ଆଇନଜୀବୀ ତେଜେଶ୍ବର ପଣ୍ଡା, ସମାଜସେବୀ ନବକୃଷ୍ଣ ରଥ ଜାତିଗତ ପ୍ରମାଣପତ୍ର ଦେବାକୁ ଅକ୍ଷରଗତ ତୃଟି ଯୋଗୁଁ ସମସ୍ୟା ହୋଇଛି। ସରକାର ଏହାକୁ ଗୁରୁତର ସହକାରେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର