ଖୋର୍ଦ୍ଧା: ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ମାନ୍ୟତା ଜୋର ଧରିଛି। ଆସନ୍ତା ୧୫ ତାରିଖରେ ଏନେଇ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ନାଗରିକଙ୍କୁ ନେଇ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ମହାବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ଯୁଗ୍ମ ଆବାହକ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଏକ ବିବୃତିରେ କହିଛନ୍ତି ଯେ ମହାବିଦ୍ୟାଳୟକୁ ଏକ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରିବା ପ୍ରତିଷ୍ଠାତା ପ୍ରାଣନାଥଙ୍କ ଶେଷ ଇଚ୍ଛାଥିଲା।
ୟୁଜିସି ଦ୍ୱାରା ଇତିମଧ୍ୟରେ ଏହାକୁ ଦୁଇଦୁଇଥର ସ୍ୱୟଂଶାସିତ ଓ ନାକ୍ ଦ୍ୱାରା ଦୁଇଥର ଏ-ଗ୍ରେଡ୍ ମାନ୍ୟତା ମିଳିଛି। ଅନ୍ୟ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭି କରିଥିଲେ ମଧ୍ୟ ପ୍ରାଣନାଥ ମହାବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇନାହିଁ। ଏନେଇ ହୋଇଥିବା ଦାବି ଯଦିଓ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି, ତେବେ ଏହାକୁ ତ୍ୱରାନ୍ୱିତ କରିବାକୁ ଏକତ୍ରିତ ହେବାକୁ ପଡ଼ିବ। ଏନେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଆସନ୍ତା ୧୫ ତାରିଖ ଅପରାହ୍ନ ୪ଟାରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିବାକୁ ବିଧାୟକ ଶ୍ରୀ ମିତ୍ର ଓ ଆବାହକ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/220px-P_N_College_Khordha_2.jpg)