ଭଦ୍ରକ: ରାଜନୀତିର ପଶାପାଲିରେ ଭଦ୍ରକ ଜିଲ୍ଲାବାସୀଙ୍କ ସ୍ଵର ଚାପି ଦିଆଯାଉଛି। ଭଦ୍ରକର ହକ ଦିଆଯାଉନାହିଁ । ସବୁଥିରୁ ଭଦ୍ରକ ଜିଲ୍ଲାକୁ ବଞ୍ଚିତ କରାଯାଉଥିବାବେଳେ ଜିଲ୍ଲାବାସୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି ନେଇ ଦୀର୍ଘ ୪ ଦଶନ୍ଧି ଧରି ଦାବି କରି ଆସୁଛନ୍ତି। ଦାବି ପୂରଣ ନହେଲେ ଜିଲ୍ଲାରେ ଛାତ୍ର ଆନ୍ଦୋଳନ ଦୁର୍ବାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଖୋଦ୍ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ଵରେ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଏବଂ ମଞ୍ଚର ଉପଦେଷ୍ଟା ଆଜି ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

publive-image

ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯିବା, ଖାଲିଥିବା ଅଧ୍ୟାପକ ପଦ ପୂରଣ ସହିତ ଖାଲି ପଡ଼ିଥିବା ସମସ୍ତ କର୍ମଚାରୀ ପଦ ପୂରଣ, ମହାବିଦ୍ୟାଳୟ ପରିସରରେ ଥିବା ନିୟୁ ଲେଡ଼ିଜ ହଷ୍ଟେଲ ପାଖରେ ରହିଥିବା କିଛି ଘରୋଇ ଜମିକୁ ସରକାର ଅଧିଗ୍ରହଣ କରି ମହାବିଦ୍ୟାଳୟକୁ ନେବାରେ ବ୍ୟବସ୍ଥା କରିବା, କଲେଜ ପରିସରରେ ଏକ ଆଦର୍ଶ ଅଡିଟୋରିୟମ୍ ନିର୍ମାଣ କରାଯିବା, କଲେଜରେ ଏକ ଭଲ ଇ-ଲାଇବ୍ରେରୀ ସ୍ଥାପନ କରାଯିବା, କଲେଜରେ ଥିବା ପୁରୁଣା ଘରଗୁଡ଼ିକୁ ମରାମତି କରାଯିବା ଭଳି ଦାବି କରିଥିଲେ | ଜିଲ୍ଳାପାଳ ଦାବିପତ୍ର ଗ୍ରହଣ ପରେ ମଞ୍ଚର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାପାଳ ଭଦ୍ରକର ବୁଦ୍ଧିଜୀବୀମାନଙ୍କ ସହିତ ତଥ୍ୟଭିତ୍ତିକ ଆଲୋଚନା କରି ସରକାରଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ । ସବୁ କଲେଜ ଆଗରେ ଓ ସବୁ ବ୍ଲକ୍ ଆଗରେ ଧାରଣା ଦିଆଯିବ ।