ଠିକା ସଫେଇ କର୍ମଚାରୀଙ୍କୁ କୁଶଳୀ ଶ୍ରମିକର ମଜୁରୀ ପାଇଁ ଦାବି

ଖୋର୍ଦ୍ଧା: ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ କାମ କରୁଥିବା ଠିକା ସଫେଇ କର୍ମଚାରୀଙ୍କୁ କୁଶଳୀ ଶ୍ରମିକର ମଜୁରୀ ପ୍ରଦାନ କରିବାକୁ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଦାବି କରିଛି। ଆଜି ଏନେଇ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଛି। ଆଜି ପୂର୍ବାହ୍ନରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଭେଟି ଦାବିପତ୍ର ଦେଇଥିଲେ। ଦାବିପତ୍ର ସମ୍ପର୍କରେ ସଭାପତି ମୋହନ ନାୟକ କହିଛନ୍ତି ଯେ ଓଡ଼ିଶା ପୌରପରିଷଦ ମାନୁଆଲ୍ରେ ସଫେଇ କର୍ମଚାରୀଙ୍କୁ ପୌର କର୍ମଚାରୀ ଭାବେ ଗ୍ରହଣ କରାଯାଇଥିବା ବେଳେ ୨୦୦୪ରେ ପ୍ରଣୀତ କର୍ପୋରେସନ ଆଇନରେ ଗଠିତ ମହାନଗର ନିଗମରେ ସଫେଇ କର୍ମଚାରୀଙ୍କୁ ଠିକାଦାରଙ୍କ ଦ୍ୱାରା ନିୟୋଜିତ କରାଯାଉଛି।

ରାଜ୍ୟ ଶ୍ରମ ବିଭାଗ ମଧ୍ୟ ସଫେଇ କର୍ମଚାରୀଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଚିହ୍ନଟ କରିଛି। ଏହାର ସୁଯୋଗରେ ମହାଗନର ନିଗମର ପରିମଳ ବ୍ୟବସ୍ଥାର ଠିକା ନେଇଥିବା ଜାଗୃତି ସଂସ୍ଥା ଶ୍ରମ ଆଇନର ଖିଲାପ କରି ସଫେଇ କର୍ମଚାରୀଙ୍କୁ ଧାର୍ଯ୍ୟ ମଜୁରୀ ଠାରୁ କମ୍ ମଜୁରୀ ଦେଉଛି। ଏହାସହ ଆଇନାନୁସାରେ, ଦୈନିନ୍ଦିନ ମଜୁରୀ  ଅନୁପାତରେ ୧୩ ପ୍ରତିଶତ ଇପିଏଫ୍ ଓ ୩.୨୫ ପ୍ରତିଶତ ଇଏସ୍ଆଇ ସଂସ୍ଥା ପକ୍ଷରୁ ଦେବା ବାଧ୍ୟତାମୂଳକ ଥିବା ବେଳେ ସମ୍ପୃକ୍ତ ସଂସ୍ଥା ଏହାର ଖୋଲା ଉଲ୍ଳଂଘନ କରୁଛି। କେବଳ ଜାଗୃତି ନୁହେଁ ପରିମଳ ଠିକା ନେଇଥିବା ରାମକୋ ମଧ୍ୟ ଅନୁରୂପ ଭାବେ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରୁଛି। ଆଜିର ଏହି ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କର୍ମକର୍ତା ଓ ସଫେଇ କର୍ମଚାରୀଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର