ଜଟଣୀ ଓଭରବ୍ରିଜ୍ ବିସ୍ଥାପିତଙ୍କୁ ଥଇଥାନ ପାଇଁ ଦାବି

ଖୋର୍ଦ୍ଧା : ଜଟଣୀରେ ନିର୍ମାଣ ହେଉଥିବା ଓଭରବ୍ରିଜ୍ ଯୋଗୁଁ ବିସ୍ଥାପିତ ହୋଇଥିବା ଦୋକାନୀଙ୍କୁ ଥଇଥାନ ନେଇ ଆଜି ପୁଣି ଜଟଣୀ ବିଧାୟକଙ୍କ ନେତୃତ୍ୱରେ ଶତାଧିକ ଦୋକାନୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପିତ କରିଛନ୍ତି ।

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶ୍ରୀରାମଛକ ବ୍ୟବସାୟୀ ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ବିଧାୟକ ରାଉତରାୟଙ୍କ କହିବା ଅନୁସାରେ, ୨୦୧୩ରୁ ଏନେଇ ପ୍ରଶାସନକୁ ଅବଗତ କରାଯାଉଛି । ୨୦୧୩ ଜାନୁଆରୀ ୧୬, ଜୁନ୍ ଓ ସେପ୍ଟମ୍ବର ୨୦୧୭, ମାର୍ଚ୍ଚ ଓ ଡିସେମ୍ବର ୨୦୧୮ରେ ଥଇଥାନ ପାଇଁ ଲିଖିତ ଭାବେ ଦିଆଯାଇଥିଲା, କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଓଭରବ୍ରିଜ୍ ଦ୍ୱାରା ୫୮୭ଟି ଦୋକାନ ଉଚ୍ଛେଦ ହୋଇଛି । ଏହା ମଧ୍ୟରୁ ୨୫୦ଜଣ ଦୋକାନୀଙ୍କ ସେଠାର ଦୋକାନ ହିଁ ପ୍ରମୁଖ ରୋଜଗାରର ପନ୍ଥା ଥିଲା । ଦୋକାନ ବନ୍ଦ ହୋଇଯିବା ଦ୍ୱାରା ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ଆଜି ପୁଣି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ଥଇଥାନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀରାଉତରାୟ କହିଛନ୍ତି ।

ସମ୍ବନ୍ଧିତ ଖବର