ସୁନ୍ଦରଗଡ଼: ହେମଗିର ତହସିଲ୍ ବିଜାହାନ ଖୋଲା ମୁହଁ କୋଇଲା ଖଣି ପାଇଁ ପରିବେଶୀୟ ମଞ୍ଜୁରି ନିମନ୍ତେ ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖିବାକୁ ପ୍ରଭାବିତ ଅଞ୍ଚଳବାସୀ ଦାବି କରିଛନ୍ତି। ଖଣି ପାଇଁ ବିସ୍ଥାପିତ ତଥା ପ୍ରଭାବିତ ଗାଁ ଅଞ୍ଚଳରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ନଥିବାରୁ ଏହି ଦାବି ଉଠାଇଛନ୍ତି ଲୋକେ। ନିୟମତଃ ପଞ୍ଚମ ଅନୁସୂଚୀ ଅଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ଖଣି କି କୌଣସି ପ୍ରକଳ୍ପ ପାଇଁ ପ୍ରଥମେ ପଲ୍ଲୀସଭା, ଗ୍ରାମସଭା କରି ଲୋକଙ୍କ ସହମତି ନିଆଯିବା ଅନିବାର୍ଯ୍ୟ। କିନ୍ତୁ ତାହା ନକରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଧାସଳଖ ପରିବେଶୀୟ ମଞ୍ଜୁରି ପାଇଁ ଜନଶୁଣାଣି ଡାକିବା ନିୟମବିରୁଦ୍ଧ ବୋଲି କହିଛନ୍ତି ଲୋକେ।
ଏ ନେଇ ବିଜାହାନ, ଭୋଗ୍ରାକଛାର, ଗିରିସୀମା ଓ ଝାରପଲମ ଗାଁ ଅଧିବାସୀ ସୁନ୍ଦରଗଡ଼ ଜିଲ୍ଲାପାଳ, ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମେସର୍ସ ମହାନଦୀ ଖଣି ଓ ଖଣିଜ ପଦାର୍ଥ କମ୍ପାନି ତରଫରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲ ଅନ୍ତର୍ଗତ ବିଜାହାନ, ଭୋଗ୍ରାକଛାର, ଗିରିସୀମା ଓ ଝାରପଲମରେ ୧୧ ଶହ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳରେ ବାର୍ଷିକ ୫.୨୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବିଜାହାନ ଖୋଲା ମୁହଁ କୋଇଲା ଖଣି ଖନନ କରାଯିବ। ଏଥିପାଇଁ ଆବଶ୍ୟକ ପରିବେଶୀୟ ମଞ୍ଜୁରି ନିମନ୍ତେ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଜନଶୁଣାଣି ପାଇଁ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ କରିଛନ୍ତି। ଏହା ପରେ କ୍ଷମତାପ୍ରାପ୍ତ ବୋର୍ଡ ସର୍ବସାଧାରଣ ସମେତ ପ୍ରକୃତ ଅଧିବାସୀ, ପରିବେଶୀୟ ସଂସ୍ଥା, ପ୍ରସ୍ତାବିତ ପ୍ରକଳ୍ପ ସ୍ଥାପନ ହେଉଥିବା ସ୍ଥାନର ଜନବର୍ଗ, ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ଓ ପ୍ରଭାବିତ ହେଉଥିବା ବାସିନ୍ଦାଙ୍କଠାରୁ ପ୍ରକଳ୍ପ ସ୍ଥାପନରେ ପରିବେଶୀୟ ପ୍ରଭାବ ନେଇ ପ୍ରସ୍ତାବ, ମତାମତ, ମନ୍ତବ୍ୟ, ଆପତ୍ତି ଗ୍ରହଣ ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ।
ଡିସେମ୍ବର ୧ରେ ହେମଗିର ତହସିଲ ଅନ୍ତର୍ଗତ ବିଜାହାନ ଗ୍ରାମ ହାତୀବନ୍ଧା ଟିକ୍ରାସ୍ଥିତ ଜୁନାଡିହି ପଡ଼ିଆରେ ଜନଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ଓ ପ୍ରଭାବିତ ହେଉଥିବା ଗାଁର ବଂଶୀଧର ପଧାନ, ୱାର୍ଡସଭ୍ୟ ଭଗବତିଆ, ଛବିଲାଲ ସା, ଗଣ୍ଡାରାମ ମାଝୀ, ଦୀପକ ଦେହେରୀ, ତେଜରାମ ପଧାନ, ଟିକଚାନ୍ଦ ଦେହେରୀ, ଦେବାନନ୍ଦ ମାଝୀ, ସୂରଜ ଦେହେରୀ, ବନ ଅମାତ, ଚୂଡ଼ାମଣି ପଧାନ ସମେତ ଶତାଧିକ ଲୋକେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।