ସରକାରୀ ଭେଟେନାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ରାଜ୍ୟସଭା ସାଂସଦ

ବାରିପଦା: ବାରିପଦା ନିକଟସ୍ଥ କାଠାପାଳଠାରେ ୧୦୦ ଏକକରୁ ଅଧିକ ଜମି ଭେଟନାରୀ ବିଭାଗ ଅଧିନରେ ଅଛି । ଯେଉଁଠି ପୂର୍ବରୁ ଗାଈ ଫାର୍ମ ଏବଂ ଫୁଡାର ଚାଷ କରାଯାଉଥିଲା ଏବଂ ଏହି ମୂଲ୍ୟବାନ ଜମି ୪ ଥାକିଆ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ।

ଆଦିବାସୀ ବହୁଳ ମୟୂରଭଞ୍ଜ ଓଡ଼ିଶାର ସବୁଠାରୁ ବଡ ଜିଲ୍ଲା ଏବଂ ଏହି ଜିଲ୍ଲାରେ ୨୬ଟି ବ୍ଲକ ରହିଛି । ଗାଈ, କୁକୁଡା ଏବଂ ଛେଳି ଚାଷ ଉପରେ ମୟୂରଭଞ୍ଜବାସୀ ନିର୍ଭର କରନ୍ତି ଏବଂ ଅନ୍ୟ ଜିଲ୍ଲା ତୁଳନାରେ ମୟୂରଭଞ୍ଜ ଜିଲ୍ଲାରେ ଗାଈ, କୁକୁଡା ଓ ଛେଳି ସଂଖ୍ୟା ବେଶୀ । ଉଡନ୍ତା କୁକୁଡା ଏବଂ କାଳିଆ ଛେଳି ମୟୂରଭଞ୍ଜ ଜିଲ୍ଲାରେ ଅଧିକ ମାତ୍ରାରେ ଦେଖାଯାଆନ୍ତି । ଉତ୍ତର ଓଡ଼ିଶାରେ ପଶୁପକ୍ଷୀଙ୍କ ଉନ୍ନତି ପାଇଁ ସେପରି କୌଣସି ଅନୁଷ୍ଠାନ ନାହିଁ ।

ମୟୂରଭଞ୍ଜ ଜିଲ୍ଲାରେ ଅର୍ଦ୍ଧାଧିକ ଭାଗରେ ମାଛ ଚାଷ କରାଯାଇପାରିବ ଏବଂ ପାଖ ବାଲେଶ୍ୱର ଜିଲ୍ଲାରେ ସାମୁଦ୍ରିକ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି । ଗବେଷଣା କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଜୈବ ବିବିଧତା ଭରପୁର ଶିମିଳିପାଳ ମଧ୍ୟ ରହିଛି ।

ତେଣୁ ବାରିପଦା ନିକଟସ୍ଥ କାଠପାଳଠାରେ ସରକାରୀ ଭେଟନାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସର୍ବୋତ୍କୃଷ୍ଟ ବୋଲି ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ଏହା ବ୍ୟତୀତ ଓ.ୟୁ.ଏ.ଟି ବାରିପଦାଠାରେ ଗୋଟିଏ ଟେକ୍ନୋଲୋଜି କଲେଜ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି ଶ୍ରୀମତୀ ହେମ୍ବ୍ରମ ଦର୍ଶାଇଛନ୍ତି ।

ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ ତାଙ୍କ ଚିଠିର ଅବିକଳ ନକଲରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି । ସରୋଜିନୀ ହେମ୍ବ୍ରମଙ୍କ ଏଭଳି ଉନ୍ନତି ମୂଳକ ପ୍ରସ୍ତାବକୁ ବିଜୁ ଜନତା ଦଳ ଓ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଉଛି ।

ସମ୍ବନ୍ଧିତ ଖବର