ସମ୍ବଲପୁର: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି I ସାମ୍ବାଦିକମାନେ ଅଗଷ୍ଟ ୭ ତାରିଖ ସୁଦ୍ଧା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ସହ ଅନ୍‌ଲାଇନରେ ଆବେଦନପତ୍ର ଦାଖଲ କରିବାକୁ ସୂଚନା ରହିଛି I ଚଳିତ ବର୍ଷ ପ୍ରଥମେ ଥର ପାଇଁ ଅନ୍‌ଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜୀକରଣ ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି I ଗତ ବର୍ଷ ସମ୍ବଲପୁର ଜିଲ୍ଲାରେ ୧୮୩ ପଞ୍ଜିକୃତ ସାମ୍ୱାଦିକ ରହିଥିବା ବେଳେ ଟିଏକି ଭୁଲ୍ ହେଲେ ବହୁ ସାମ୍ବାଦିକ ସରକାରଙ୍କ ଏହି ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ରହିଛି I ଏଭଳି ସ୍ଥିତିରେ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଆବେଦନ କରିବାର ଅବଧି ତାରିଖ ବୃଦ୍ଧି କରିବା ପାଇଁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି I

Advertisment

ଏହି ମର୍ମରେ ଆଜି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି I ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦାବିପତ୍ର ଗ୍ରହଣ କରିଥିଲେ I ସଂଘର ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାହୁ, ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ I ଏହା ସହିତ ସଂଘ ନିଜ ପୂର୍ବ ଦାବି ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ, ମୃତ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା ଆଦି ୧୦ ଦଫା ଦାବିଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି I