ରାୟଗଡା: ଜିଲ୍ଲାରେ ଆସନ୍ତା ୨୧ ତାରିଖରେ ଜିଲ୍ଲା ଆଥେଲେଟିକ୍‌ସ ସଂଘର ନିର୍ବାଚନ ହେବାକୁ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଘୋଷଣା କରାଯାଇଥିଲା। ଏନେଇ ଗତ ୧୨ ତାରିଖରେ ମଧ୍ୟ ବଜ୍ଞପ୍ତି ପ୍ରକାଶ ପାଇଥିଲା। ଆଥେଲେଟିକ୍‌ସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ନେଇ ମଧ୍ୟ ଅତି ତରବରିଆ ଭାବେ କ୍ରୀଡା ବିଭାଗ ତରଫରୁ ଘୋଷଣା ଏବଂ କାର୍ଯ୍ୟକାରିତାକୁ ନେଇ ଅବୈଧ୍ୟ ବୋଲି ଆଜି ଜିଲ୍ଲାର ବହୁ ଯୁବ ଖେଳାଳି ଏବଂ ସମାଜସେବୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଏକ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ଘେରିଥିଲେ।

Advertisment

ଜିଲ୍ଲାର ୧୧ଟି ବ୍ଲକ, ଦୁଇଟି ମ୍ୟୁନିସପାଲଟି ଏବଂ ଗୋଟିଏ ଏନଏସିରେ ଏହି ଘୋଷଣା ଠିକ ଭାବେ ହୋଇନଥିବା ଯୁକ୍ତି ବଢାଯାଇଥିଲା। ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେବା ସହ ଏହି ଜିଲ୍ଲାରେ କୋଣ ଅନୁକୋଣରେ ବହୁ କ୍ରୀଡାବିତ ଲୁଚି ରହିଛନ୍ତି। ବିଭିନ୍ନ କ୍ରୀଡାରେ ଏହି ଖେଳାଳିମାନେ ଜିଲ୍ଲାସ୍ତରରେ, ରାଜ୍ୟସ୍ତରରେ ଏବଂ ଜାତୀୟ ସ୍ତରରେ ବେଶ ନାମ କମାଇଛନ୍ତି। ଏହି ଖେଳାଳିଙ୍କୁ ନେଇ ଜିଲ୍ଲା ଆଥେଲେଟିକ୍‌ସ  ଆସୋସିଏସନ ଗଠନ କରିବା କଥା। କିନ୍ତୁ କାହାର ପ୍ରରଚନାରେ ପଡି ଜିଲ୍ଲା କ୍ରୀଡା ଅଧିକାରୀ ଅତି ତରବରିଆ ଭାବେ ଏହାକୁ ଲୁଚାଛପାରେ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଯେଉଁମାନେ ଏବେ ସଦସ୍ୟ ରହିଛନ୍ତି, ସେମାନେ କଣ ଖେଳାଳି କି ବୋଲି କ୍ରୀଡା ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ନିର୍ବାଚନକୁ ଅବୈଧ୍ୟ ବୋଲି ଘୋଷଣା କରିବା ସହ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଥିଲା।ଗତ ୨୦୨୨ ମସିହା ନଭେମ୍ବର ମାସ ୯ ତାରଖରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଏକ ବୈଠକରେ ତୁରନ୍ତ ଜିଲ୍ଲା ଆଥେଲେଟିକ୍‌ସ ଆସୋସିଏସନର ନିର୍ବାଚନ କରାଯାଇ କର୍ମକର୍ତ୍ତା ବାଛିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା।

ତେବେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ତୁରନ୍ତ ନୂତନ ସଦସ୍ୟଙ୍କୁ ବଛାଯାଉ। ସଦସ୍ୟତା ପାଇଁ ଯେଉଁ ଯୋଗ୍ୟତା ରଖାଯାଇଛି ତାହା ସର୍ବସାଧାରଣରେ ଜଣାଯାଉ। ଜଣେ ସଦସ୍ୟର ସଦସ୍ୟତାକୁ କାଟିବାକୁ କେତେ ବର୍ଷ ଧାର୍ଯ୍ୟ କରାଯାଇଛି। ଲାଇଫ ମେମ୍ବରଙ୍କ ନାମ ଆଜି ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଜଣେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ଜିଲ୍ଲାରେ ବହୁ କ୍ରୀଡା ସଂଘ ରହିଛି। ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ, ଯେଉଁ ଆଧାରରେ ଏହି ନିର୍ବାଚନ କରାଯାଉଥିଲା ତାହା ସଂପୂର୍ଣ୍ଣ ଅବୈଧ୍ୟ ଅଟେ।ନୋଟିସରେ ନିର୍ବାଚନ ନେଇ ତାରିଖ ରହିଛି କିନ୍ତୁ କେଉଁଠାରେ ଏବଂ କେତେବେଳେ ହେବ କୁହାଯାଇ ନାହିଁ। କ୍ରୀଡା ଅଧିକାରୀ ଏହି ନିର୍ବାଚନକୁ ସ୍ବଚ୍ଛ ଭାବେ କରୁନଥିବା ଅଭିଯୋଗ ହୋଇଥିଲା। ତୁରନ୍ତ ଏହାକୁ ବନ୍ଦ କରାଯିବା ପାଇଁ ଦାବି କରାଯାଇଥିଲା।