ମାଲକାନଗିରି: ମାଲକାନଗିରି ଜିଲ୍ଲା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରେସମିଟରେ ଏହି ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରି କାର୍ଯ୍ୟକାଳ ମଧ୍ୟରେ ୪ରୁ ୮ଟି ପଦୋନ୍ନତି ପାଉଥିବାବେଳେ ଏହି ବହୁମୁଖୀ ସ୍ବାସ୍ଥ୍ୟକର୍ମୀମାନେ ମାତ୍ର ଗୋଟିଏ ପଦୋନ୍ନତି ପାଇଛନ୍ତି। ପୁଣି କେହି କେହି ବିନା ପଦୋନ୍ନତିରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହାର ପ୍ରତିବାଦ ସ୍ବରୂପ ଗତ ବର୍ଷ ୨୦୨୧ ଜାନୁୟାରୀ ମାସରେ ସରକାରଙ୍କ ତରଫରୁ ଭୟଙ୍କର ମହାମାରୀ କୋଭିଡ ଟିକା ନେବୁ ନାହିଁ କିନ୍ତୁ ଜନସାଧାରଣଙ୍କୁ ଟିକା ପ୍ରଦାନରେ ପୂର୍ଣ୍ଣ ସହଯୋଗ କରିବୁ। କିନ୍ତୁ ଜାନୁୟାରୀ ୨୬ ତାରିଖ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୁରଣ କ୍ଷେତ୍ରରେ ପ୍ରତିଶ୍ରୁତି ଦେବା ପରେ ଏହି ସ୍ବାସ୍ଥ୍ୟକର୍ମୀମାନେ କୋଭିଡ ଟିକା ନେଇଥିଲେ। ବାରମ୍ବାର ରାଜ୍ୟ କର୍ମକର୍ତ୍ତା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିପାରି ନାହିଁ।
ଏହା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡର ପୂନର୍ଗଠିତ ହୋଇଥିଲେ ମଧ୍ୟ ଆମେ ସେହି ଅବହେଳିତ ଅବସ୍ଥାରେ ରହିଥିବା ଏମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଂଘ ତରଫରୁ ସିଡିଏମଓଙ୍କ ଜରିଆରେ ସ୍ବାସ୍ଥ୍ୟ ସଚିବ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି କରାଯାଇଛି। ସେଗୁଡିକ ମଧ୍ୟରୁ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରି କାଳ ମଧ୍ୟରେ ୪ ଥର ପଦୋନ୍ନତି ଦିଆଯାଉ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ନଭେମ୍ବର ୩ରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ ପେ ୪୨୦୦-୪୬୦୦-୪୮୦୦ ଆରଏସିପି ଆକାରରେ ପ୍ରଦାନ କରାଯାଉ। ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ବହୁମୁଖୀ ପରିଦର୍ଶକ ପଦବୀର ନାମକୁ ପରିଦର୍ତ୍ତନ କରାଯାଉ।ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ। ତେବେ ଏହି ଦାବିଗୁଡିକ ପୂରଣ କରାନଗଲେ ଆସନ୍ତା ଡିସେମ୍ବର ୧୪ ତାରିଖରୁ ଅସହଯୋଗ କରାଯିବା ସହ ଡିସେମ୍ବର ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ମିଳିତ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।