ଖୋର୍ଦ୍ଧା: ଭୁଷଣ୍ଡପୁର ଠାରେ ଥିବା ପ୍ରସିଦ୍ଧ ମା’ ଉଗ୍ରତାରା ପୀଠର ସେବାୟତ ଭାବେ ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଗାଁର ୬୦ ପାଇକ ପରିବାରର ସଦସ୍ୟଙ୍କୁ ସ୍ୱୀକୃତି ଦେବାକୁ ଆଜି ସ୍ଥାନୀୟ ପାଇକ ପରିବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ମୂଳଝର ଗାଁର ମା’ ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି। ସଂଘର ବାସୁଦେବ ରାଉତରା, ଚରଣ ପାଇକରାୟ, ରତ୍ନାକର ମଙ୍ଗରାଜ, କୁମର ଛୁଆଳସିଂହ, ଋଷିକେଶ ପାହାଡ଼ସିଂହ, ଫକିର ବଳିଆରସିଂହ ପ୍ରମୁଖ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ସମ୍ପର୍କରେ କହିଛନ୍ତି ଯେ, ମା’ ଉଗ୍ରତାରା ପୀଠ ସ୍ଥାପନ ହେବା ଦିନ ଠାରୁ ମନ୍ଦିରର ସୁରକ୍ଷା ନିମନ୍ତେ ତତ୍କାଳୀନ ଖୋର୍ଦ୍ଧା ରାଜା ମୂଳଝରର ୬୦ଟି ପାଇକ ପରିବାରକୁ ନିୟୋଜିତ କରିଥିଲେ। ଶତାଧିକ ବର୍ଷ ଧରି ପାଇକ ପରିବାର ଉତ୍ତରାଧିକାରୀ ସୂତ୍ରରେ ଉଗ୍ରତାରା ପୀଠରେ ବିଭିନ୍ନ ସେବା ଓ ପୂଜକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି।
ଏଥିପାଇଁ ସେମାନଙ୍କୁ ମନ୍ଦିର ପରିସରରେ ଏକ ଦୁଇ ବଖରା ଘର ଦିଆଯାଇଥିଲା। କିନ୍ତୁ ନିକଟରେ ଦେବୋତ୍ତର କମିଶନ ଉକ୍ତ ଗୃହକୁ ମନ୍ଦିର ପରିଚାଳନା କାର୍ଯ୍ୟାଳୟ ରୂପେ ପରିବର୍ତିତ କରିବା ସହ ସେମାନଙ୍କୁ ମନ୍ଦିର ପରିଚାଳନା କମିଟିର ସଦସ୍ୟତାରୁ ବାଦ୍ ଦିଆଯାଇଛି। ଏନେଇ ପୂର୍ବରୁ ସେମାନେ ସ୍ଥାନୀୟ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅନୁରୋଧ କରିଥିଲେ, କିନ୍ତୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପାଇକ ମହାସଂଘକୁ ମନ୍ଦିର ମଧ୍ୟରେ ଥିବା ଗୃହ ପ୍ରଦାନ କରିବା ନିମନ୍ତେ ସେମାନେ ଟାଙ୍ଗୀ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ମନ୍ଦିର ସମ୍ମୁଖସ୍ଥ ନୂତନ କୋଠାକୁ ପରିଚାଳନା କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ସେମାନଙ୍କୁ ପୂରୁଣା ଗୃହ ପ୍ରଦାନ କରାଯିବ। ନୂତନ କୋଠାରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ସଂଘର ଗୃହ ପ୍ରଦାନ କରାଯାଇନାହିଁ। ଏଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ପୁଣି ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ଭୁବନେଶ୍ୱର ଦେବୋତ୍ତର କମିସନଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।