ଜୟପୁର: ପ୍ରାକୃତିକ ପରିବେଶ ଓ ସବୁଜ ହରାଭରା ପାହଡ ସାଙ୍ଗକୁ ଛୋଟ ବଡ ଝରଣା ଜୟପୁର ବ୍ଲକରେ ରହିଛି। ଏସବୁ ସ୍ଥାନକୁ ଲୋକେ ବର୍ଷ ତମାମ ପିକନିକ୍ କରିବାକୁ ଯାଉଥିବା ନଜିର ରହିଛି। ଏହିକ୍ରମରେ ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଞ୍ଚିଛି ପଂଚାୟତର ଶିଶୁ ଉଦ୍ୟାନ ପାର୍ଶ୍ବରେ ଥିବା ପାହାଡ ଓଏବଂ ଏଥିରୁ ବୋହି ଆସିଥିବା ୨୦୦ମିଟର ଝରଣାକୁ ନେଇ ପର୍ଯ୍ୟଟନସ୍ଥଳୀ ଭାବେ ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ଯୋଜନା କରିଛି। ଗତ ତିନି ଦିନ ତଳେ ଜୟପୁର ବ୍ଲକ ଗସ୍ତରେ ଆସିଥିବା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଏସଲୱାର ଏହି ସ୍ଥାନକୁ ଯାଇ ନିରୀକ୍ଷଣ କରିଥିଲେ। ଝରଣା ଥିବା ପାହାଡର ଶୀଖରକୁ ଯାଇ ସେଠାରେ ଝରଣା ପାଣିକୁ କିଭଳି ଜମା କରି ରଖାଯାଇ ହେବ ସେ ଦିଗରେ ଅଣୁଯୋଜନା ପ୍ରସ୍ତୁତ କରି ଦେବା ପାଇଁ ବିଡିଓ ରାଜୀବ ଦାସ, ଏବିଡିଓ ମନୋଜ କୁମାର ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, କନିଷ୍ଠ ଯନ୍ତ୍ରୀ ବାବୁରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଝରଣା ପାଣିକୁ ସେଠାରେ ଜମା କରି ତା ପରେ ସେଠାରୁ ତଳକୁ ଧିରେ ଧିରେ ପାଣି ଛାଡ଼ିବାକୁ କହିଥିଲେ।
ଯେଭଳି ଜଳପ୍ରପାତରୁ ପାଣି ଖସିବା ଭଳି ଦୃଶ୍ୟମାନ ହେବାକୁ ପଡ଼ିବ ବୋଲି କହିଥିଲେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ। ସରପଂଚ କମଲୋଚନ ଗାଧବା, ଜିଆରଏସ୍ ଗାୟତ୍ରୀ ମିଶ୍ର ଆଦି ଉପସ୍ଥିତ ଥିଲେ। ସେ ତଳେ ଥିବା ଶିଶୁ ଉଦ୍ୟାନ, ଅମୃତ ସରୋବର ବୁଲି ଦେଖିଥିଲେ। ଏହା ସହ ବାରିଣୀପୁଟ ଅମୃତ ସରୋବର, ୫ଟି ମୋ ସ୍କୁଲ ଅଭିଯାନରେ ନିର୍ମାଣ ଚାଳିଥିବା ହାଇସ୍କୁଲ, ବାମୁଣିପୁଟ ୫ଟି ମୋ ସ୍କୁଲ, ବିଷୋଇପୁଟ ଜମି ଉନ୍ନୟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ଆଦି ବୁଲି ନିରୀକ୍ଷଣ କରିଥିଲେ। ଅପରପକ୍ଷରେ ଏହି ଡଙ୍ଗରଞ୍ଚିଛି ପଂଚାୟତରେ ଥିବା ପାତ୍ରପୁଟ ଐତିହାସିକ ପୋଲ, ବନଦୁର୍ଗା ପାହାଡ, କଂଜେଇ ମାଳିଗୁଡା ଝରଣା ଓଗଡ଼ପଦର ନିକଟସ୍ଥ ଝରଣା, ମାଳିଗୁଡା ରେଲୱେ ବ୍ରିଜ୍ ନିକଟରେ ବି ବର୍ଷ ତମାମ ଲୋକେ ପିକନିକ୍ ମନାଇବାକୁ ଯାଉଥିବାରୁ ଏସବୁ ସ୍ଥାନକୁ ବି ପର୍ଯ୍ୟଟନସ୍ଥଳୀ ଭାବେ ସାମିଲ କରିବାକୁ ପରିବେଶବିତ୍ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।