ଭଞ୍ଜନଗରରେ ଅକ୍ସିଜେନ୍ ପ୍ଳାଣ୍ଟ ପ୍ରତିଷ୍ଠା ସହ ମେଡ଼ିକାଲରେ ପ୍ରତି ଶଯ୍ୟାକୁ ପାଇପ ଯୋଗେ ଯୋଗାଣ ଦାବି

ଭଞ୍ଜନଗର: ସଂପ୍ରତି କରୋନାର ଦ୍ବିତୀୟ ଲହରରେ କରୋନା ଆକ୍ରାନ୍ତମାନେ ଅଧିକା ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ବେପରୁଆ ହେଲେ ସଂକ୍ରମଣ ବଢିବା ସାଙ୍ଗକୁ ହଠାତ୍ ଆକ୍ରାନ୍ତମାନେ ଗୁରୁତର ହେବାରେ ଲାଗିଛନ୍ତି। କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦ୍ବିତୀୟ ଲହରର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହେବା ସହ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ଥମିବାର ନା ନେଉନାହିଁ। ବିଶେଷ କରି ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ଅମ୍ଳଜାନ ସ୍ତର ହଠାତ୍ କମି ଯାଉଥିବାରୁ ସେମାନଙ୍କ ତ୍ବରିତ୍ ଚିକିତ୍ସା କ୍ଷେତ୍ରରେ ଅକ୍ସିଜେନର ଗୁରୁତ୍ବ ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ତାକୁ ଦୃଷ୍ଟିରେ ରଖି ଖୋଲା ବଜାରରେ ଅକ୍ସିଜେନର କଳାବଜାର ସହ କୃତ୍ତିମ ଅଭାବ ସୃଷ୍ଟି ହୋଇଛି।

ପ୍ରାୟ ୭୦ ପ୍ରତିଶତ ଗୁରୁତର ରୋଗୀ ଅମ୍ଳଜାନ ଆବଶ୍ୟକତା କରୁଥିବା ବେଳେ ଡ଼ିସିଏଚ୍ସିରେ ଭର୍ତ୍ତି ହେଉଥିବା ସମସ୍ତ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଆବଶ୍ୟକ ରହୁଛି। ରାଜ୍ୟର ୪୦ଟି ସ୍ଥାନରେ ଅକ୍ସିଜେନ୍ ପ୍ଳାଣ୍ଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ଗତ ସପ୍ତାହରେ ବ୍ରହ୍ମପୁର ଏମ୍କେସିଜି ପରିସରରେ ଅକ୍ସିଜେନ୍ ପ୍ଳାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି। ଏଥିସହ ଜିଲ୍ଲାର ଦ୍ବିତୀୟ ଅକ୍ସିଜେନ୍ ପ୍ଳାଣ୍ଟ୍ ଛତ୍ରପୁର ହସ୍ପିଟାଲ୍ ପରିସରରେ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଜିଲ୍ଲା ମୁଖ୍ୟାଳୟ ଏବଂ ଏମ୍କେସିଜି ମେଡ଼ିକାଲରୁ ଭଞ୍ଜନଗର ଡାକ୍ତରଖାନା ୮୦-୧୦୦ କିମି ଦୂର ହେଉଥିବାରୁ ଭଞ୍ଜନଗରରେ ଗୋଟିଏ ଅକ୍ସିଜେନ୍ ପ୍ଳାଣ୍ଟ୍ ପ୍ରତିଷ୍ଠା କରିବା ଜରୁରୀ ହୋଇପଡ଼ିଛି।

ଭଞ୍ଜନଗରରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଡିସିଏଚ୍ସିରେ ପ୍ରତି ବେଡ୍ ନିକଟରେ ଅକ୍ସିଜେନ ସିଲିଣ୍ଡର ରହିଥିବା ବେଳେ ଡାକ୍ତରଖାନା ପରିସରରେ ପ୍ରାୟ ୨୫ ଗୋଟି ଅକ୍ସିଜେନ୍ ସିଲିଣ୍ଡର ମହଜୁଦ ରହିଛି। ପ୍ରତିଦିନ ଆବଶ୍ୟକତା ଅନୁଯାୟୀ ୩ ଗାଡ଼ିରେ ବ୍ରହ୍ମପର ନିକଟର ହଲଦିଆପଦରରୁ ଅକ୍ସିଜେନ ଅଣାଯାଉଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଅକ୍ସଜେନ୍ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ ତେଣୁ ବ୍ରହ୍ମପୁର ଏବଂ ଛତ୍ରପୁର ଭଳି ଭଞ୍ଜନଗର ଡାକ୍ତରଖାନା ପରିସରରେ ମଧ୍ୟ ଏକ ଅକ୍ସିଜେନ୍ ପ୍ଳାଣ୍ଟ୍ ନିର୍ମାଣ କରି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର୍ ଧରିଛି।

ଡାକ୍ତରଖାନା ପରିସରରେ ଅକ୍ସିଜେନ୍ ପ୍ଳାଣ୍ଟ୍ ନିର୍ମାଣ ସହ ପ୍ରତି ରୋଗୀଙ୍କ ଶଯ୍ୟା ନିକଟକୁ ପାଇପ ଯୋଗେ ଅକ୍ସିଜେନ୍ ପହଞ୍ଚାଇବା ବ୍ୟବସ୍ଥା କରାଗଲେ ରୋଗୀମାନେ ଉପକୃତ ହୋଇପାରିବେ। ଭଞ୍ଜନଗର ଡାକ୍ତରଖାନା ଉପଖଣ୍ଡ ସଦର ମହକୁମା ହୋଇଥିବା ବେଳେ ଏହି ଡାକ୍ତରଖାନା ଉପରେ -ବେଲଗୁଣ୍ଠା,ସୋରଡ଼ା,ବୁଗୁଡ଼ା,ଜଗନ୍ନାଥପ୍ରସାଦ ସମେତ କନ୍ଧମାଳ ଜିଲ୍ଲାର ଉଦୟଗିରି,ଚକପାଦ,ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦି ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି।

ବର୍ତ୍ତମାନ କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୁରୁତର ହୋଇ ଡାକ୍ତରଖାନା ଆସୁଥିବା ବେଳେ ସେମାନଙ୍କ ଆଶୁ ଚିକିତ୍ସା ପାଇଁ ଅକ୍ସିଜେନର ବହୁଳ ଆବଶ୍ୟକତା ପଡୁଛି। ପ୍ରତିଦିନ ୮୦ କିମିରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ଅକ୍ସିଜେନ୍ ସିଲିଣ୍ଡର ଆଣିବା ଉପରେ ନିର୍ଭର କରିବା ବଦଳରେ ଏଠାରେ ଏକ ସ୍ଥାୟୀ ଭାବେ ଅକ୍ସିଜେନ୍ ପ୍ଳାଣ୍ଟ୍ ନିର୍ମାଣ କରାଗଲେ ହଜାର ହଜାର ରୋଗୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର