ଖପ୍ରାଖୋଲକୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷଣା ଦାବି, ବ୍ଲକ୍‌ ଅଫିସ ଘେରିଲା କୃଷକ ମହାସଂଘ

ପାଟଣାଗଡ଼/‌ଖପ୍ରାଖୋଲ : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷଣା ଦାବି କରିଛି ଜିଲ୍ଲା କୃଷକ ମହାସଂଘ। ଏନେଇ ସୋମବାର ମହାସଂଘ ଖପ୍ରାଖୋଲ ବ୍ଲକ୍‌ ଶାଖା ପକ୍ଷରୁ ବ୍ଲକ୍‌ ଅଫିସ ଘେରାଉ କରାଯାଇଥିଲା। ଏଥିରେ ବ୍ଲକ୍‌ର ବିଭିନ୍ନ ଗାଁରୁ ଚାଷୀମାନେ ସାମିଲ ହୋଇଥିଲେ।

ଏକ ବିଶାଳ ଶୋଭଯାତ୍ରାରେ ବ୍ଲକ୍‌ ଅଫିସ ଆଗରେ ପହଞ୍ଚି ଘେରାଉ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୫ ଦଫା ସମ୍ବଳିତ ଦାବିପତ୍ର ଦେବା ପରେ ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ର ଦେବା ସମୟରେ ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପଧାନ, ଖପ୍ରାଖୋଲ ବ୍ଲକ୍‌ ସଭାପତି କ୍ଷମାନିଧି ‌ଭୋଇ, ସନ୍ତୋଷ ପଟେଲ, କନ୍ଦର୍ପ ସୁଆର, ଇନ୍ଦ୍ରମଣି ସାହୁ, ଗଜରାଜ ନାଗ, ଗୁପ୍ତେଶ୍ବର କୁଅଁର ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା, ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ। ଦାବିଗୁଡ଼ିକ ମଧ୍ୟରେ ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷଣା, ଚାଷୀମାନଙ୍କ ରୁଣ ଛାଡ଼, ସ୍କୁଲ ଫି ଛାଡ଼, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ, ପ୍ରତ୍ୟେକ ଚାଷୀ ପରିବାରକୁ ପରିଚୟପତ୍ର ପ୍ରଦାନ, କୃଷକ ପେନସନ ଯୋଜନା, ଦେଓଗାଁସ୍ଥିତ ବିଜୟାନନ୍ଦ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଆଦି ରହିଛି।

ସମ୍ବନ୍ଧିତ ଖବର