ଜୟପୁର: ଗତ ୨୩ବର୍ଷ ତଳେ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ଥିବା ଏବେକାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦୂରଦୃଷ୍ଟି ରଖି ଜୟପୁର‌ ପୌରପାଳିକାରେ ଅଟୋନଗର କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ସହରର ଶତାଧିକ ଗ୍ୟାରେଜ୍, ଯନ୍ତ୍ରାଂଶ ବିକ୍ରି ଦୋକାନୀ, ଟ୍ରକ୍‌ ଓ ବସ୍‌ ମାଲିକମାନେ ସ୍ବାଗତ କରିଥିଲେ। ତା’ ପରେ କିଛି ବର୍ଷ ଧରି ଏହି ପ୍ରସ୍ତାବକୁ ନେଇ ତର୍ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରସ୍ତାବକୁ ନେଇ ଅଟୋନଗର କରିବା ପାଇଁ ସବୁ ପାରିଷଦ ବୈଠକ ଗୁଡିକରେ ବି ଆଲୋଚନା ହୋଇ ଆସୁଥିବା ବେଳେ ସମ୍ପ୍ରତି ଏହା ଶୀତଳଭଣ୍ଡାରକୁ ଚାଳିଯାଇଛି କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ସୂଚନ‌ାଯୋଗ୍ୟ, ଦିନକୁ ଦିନ ଜୟପୁର ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ରକମର ବ୍ୟବସାୟିକ ପ୍ରତିଷ୍ଠାନ ବି ବୃଦ୍ଧି ପାଇବାରେ ଲାଗିଛି। ସେଭଳି ଜୟପୁର ମୁଖ୍ୟ ଟ୍ରାଫିକ ଛକରୁଢ଼େପଗୁଡା –ଗାନ୍ଧୀଛକ -ହାଟପଦା ପର୍ଯ୍ୟନ୍ତ ରହିଥିବା ଗ୍ୟାରେଜ ଏବେ ବୃଦ୍ଧି ପାଇବା ସହ ଗେଟ୍ ଗୁଡା, ବାରିଣୀପୁଟ ପର୍ଯ୍ୟନ୍ତ ଲମ୍ବି ଯାଇଛି। ଅପରପକ୍ଷରେ ଗାନ୍ଧୀଛକରୁ ବାଇପାସ (ରିଂରୋଡ)ର ୱେଲୋ ବ୍ରିଜ୍ ଛକରୁ ପାୱାରହାଉସ ଶାନ୍ତିନଗର ପର୍ଯ୍ୟନ୍ତ ବିଭିନ୍ନ ଗ୍ୟାରେଜ୍ ଲମ୍ବିଗଲାଣି। ଏହା ସାଙ୍ଗକୁ ଜୟପୁରରେ ୪ଟି ଚାରି ଚକିଆ ଯାନବାହାନଓ ୬ଟି ବାଇକ୍ କଂପାନୀର ସୋ’ ରୁମ ବି ମୁଖ୍ୟଟ୍ରାଫିକ ଛକରୁ ବାରିଣୀପୁଟ ମଧ୍ୟରେ ଖୋଲି ଯାଇଛି। ଏସବୁ ସୋ ରୁମ ମଧ୍ୟ ଜାତୀୟ ରାଜପଥର ପାର୍ଶ୍ବରେ ରହିଛି। ଗ୍ୟାରେଜ ଓ ସୋରୁମ, ସର୍ଭିସ ଷ୍ଟେସନ୍ ଆଦିର ଗହଳି ଦିନକୁ ଦିନ ସହରରେ ବଢ଼ିବା ସହ ଏଥି ଯୋଗୁଁ ଟ୍ରାଫିକ ସମସ୍ୟା ବି ବହୁତ ଦେଖିବାକୁ ମିଳିଛି। ରାସ୍ତାର ଦୁଇ ପାର୍ଶ୍ବରେ ଯନ୍ତ୍ରାଂଶ ମରାମତି ଗାଡ଼ି ଓ ନୂଆ ଗାଡ଼ି ଗୁଡିକ ଦିନ ରାତି ସେଭଳି ରହିବା ଫଳରେ ସବୁ ‌ବେଳେ ରାସ୍ତା ସଂକୀର୍ଣ୍ଣ ହୋଇ ରହିବା ସହ ଛୋଟ ବଡ ଦୁର୍ଘଟଣା ନିୟମିତ ଜାରି ରହୁଛି।

publive-image Sambad

ଏହାକୁ ଦୁରେଇବା ପାଇଁ ୨୩ବ‌ର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତି ଷଡଙ୍ଗୀ ଯେଉଁ ଚିନ୍ତା କରିଥିଲେ ତାହା ଆଜି କାର୍ଯ୍ୟକାରୀ ହୋଇଥିଲେ ନୂଆରେ ବାଇପାସ୍ ରାସ୍ତାର ଆବଶ୍ୟକତା ପଢ଼ି ନଥାନ୍ତା ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି। ଯଦିବା ବାଇପାସ୍ ରାସ୍ତା ନିର୍ମାଣ ହେଲେ ସୁଦ୍ଧା ନୂଆ ‌ଅଟୋନଗର କରାଯିବାର ନିହାତି ରୂପେ ଆବଶ୍ୟକତା ରହିଛି। ଗତ ପୌରନିର୍ବାଚନ ସମୟରେ ବି ଏହାକୁ ପ୍ରମୁଖ ମୁଦ୍ଧାରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ନରେନ୍ଦ୍ର ମହାନ୍ତି ରଖିଥିଲେ। ଜୟପୁର ଟ୍ରକ ମାଲିକ ସଂଘ ଏଭଳି ଅଟୋନଗର କରାଯିବାକୁ ସଂପୁର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ସଂଘର ସଭାପତି ବାବୁଲା ନାୟକ। ଏଭଳି ଆଟୋନଗର ହେଲେ ଏକାସ୍ଥା‌ନରେ ଗ୍ୟାରେଜ, ଯନ୍ତ୍ରାଂଶ ବିକ୍ରି ଦୋକାନ , ସଂପୁର୍ଣ୍ଣ ଗାଡ଼ି ମରାମତି କରିବା ଦୋକାନ ରହିଲେ ଗାଡ଼ି ଯନ୍ତ୍ରାଂଶ ମରାମତିର ଦରରେ ବି ୟୁନିଫର୍ମ ଦର ଆସିବ ବୋଲି କହିଛନ୍ତି ଟ୍ରକ ମାଲିକ ମୁନ୍ନା ଆଚାର୍ଯ୍ୟ। ଏହା ଦ୍ବାରା ଟ୍ରକ୍ ମାଲିକଙ୍କ ସହ ଗ୍ୟାରେଜ୍ ମାଲିକ, ବ୍ୟବସାୟୀଙ୍କ ସହ ନୂଆ ନୂଆ ହୋଟେଲ ଆଦି ବି ବୃଦ୍ଦି ପାଇବ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ। ‌ତେବେ ଏଭଳି ମହତ ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ ତାହା ସମୟ କହିବ।