ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ପାଇଁ ଦାବି

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଐତିହାସିକ ଖୋର୍ଦ୍ଧା ଗଡ଼ର ରକ୍ଷଣାବେକ୍ଷଣ ପାଇଁ ଖୋର୍ଦ୍ଧାର ବିଭିନ୍ନ ଐତିହାସିକ, ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବି ହୋଇଛି । ଆଜି ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ୧୯୮୩ରେ ଗଠିତ ହୋଇଥିବା ଭାରତର ଶେଷ ସ୍ୱାଧୀନ ଦୁର୍ଗ ସ୍ମାରକ ଉନ୍ନୟନ କମିିଟିର ପୁନର୍ଗଠନ ନିମନ୍ତେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧାର ଐତିହାସିକ, ସମାଜସେବୀ, ଲେଖକ, ସାହିତ୍ୟିକ, ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇ ଏହାକୁ କ୍ରମାଗତ ଭାବେ ଅଣଦେଖା କରୁଥିବା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ବୈଠକରେ, ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ଏକ ନୂତନ କମିଟି ମଧ୍ୟ ଗଠନ କରାଯାଇଛି ।

ଏଥିରେ ସମିତିର ସଭାପତି ଭାବେ ପୂର୍ବତନ ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଉପଦେଷ୍ଟା ଭାବେ ଐତିହାସିକ ଡ. ନାରାୟଣ ରାଓ ଓ ଐତିହାସିକ ସତ୍ୟବାଦୀ ବଳିଆରସିଂହ, କାର୍ଯ୍ୟକାରୀ ସଭାପତି ଭାବେ ଅଟଳ ସାମନ୍ତ, ସଂପାଦକ ଭାବେ ଡ. ସୁରେଶ ଛୋଟରାୟ, ସହ ସଂପାଦକ ଭାବେ ଚିତ୍ତରଂଜନ ମହାନ୍ତି, କୋଷାଧ୍ୟକ୍ଷ ଭାବେ ଜ୍ଞାନରଂଜନ ଦାଶ, ସଭ୍ୟ ଭାବେ ରମେଶ ଚନ୍ଦ୍ର ସ୍ୱାଇଁ, ସତ୍ୟରଂଜନ ଲାଲା, ଚନ୍ଦ୍ରଶେଖର ମହାପାତ୍ର, ବିଜୟ ଦଶରାପୁରିଆ ପ୍ରମୁଖ ମନୋନୀତ ହୋଇଛନ୍ତି ।

୧୯୯୨ ରୁ ୧୯୯୪ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଡ଼ର ପୁନରୁଦ୍ଧାର କରି ଉକ୍ରଳ ଦିବସରେ ରାଜ୍ୟସ୍ତରୀୟ ପାଇକ ସମାରୋହ କରାଯାଇଥିଲା । ରାଜ୍ୟ ସରକାର ପୁନର୍ବାର ଏହି ପରଂପରାକୁ ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ସମାଜସେବୀ ଲଲିତ ମହାପାତ୍ର କାର୍ଯ୍ୟକ୍ରମର ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର