ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା: ଜିଲ୍ଲାରେ ବିଭିନ୍ନ ସମୟରେ ପୂଜା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ନୃତ୍ୟାଙ୍ଗନାଙ୍କୁ ଆଣି ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଛନ୍ତି। ଏହାଦ୍ୱାରା ସମାଜ ବିଶେଷତଃ ଯୁବପୀଢ଼ିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ଏଭଳି ଅଶ୍ଲୀଳ ନୃତ୍ୟଗୀତର ପରିବେଷଣକୁ ବନ୍ଦ କରିବାକୁ ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ସ କମିସନ ନାମକ ଏକ ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଆଜି ପୂର୍ବାହ୍ନରେ ସଂସ୍ଥାର ଏକ ପ୍ରତିନିଧିଦଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ପ୍ରତିନିଧିଦଳରେ ସଂସ୍ଥାର ରାଜ୍ୟ ମୁଖ୍ୟ ଡଃ. ଶିବସୁନ୍ଦର ସ୍ୱାଇଁ, ଯୁଗ୍ମ ନିର୍ଦେଶକ ଇଂ. ଶଶାଙ୍କ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ନାରାୟଣ ସାହୁ, ଚନ୍ଦନ ଅଗ୍ରୱାଲ, ଦେବାଶିଷ ମହାନ୍ତି ପ୍ରମୁଖ ଥିଲେ।

ଏନେଇ ରାଜ୍ୟ ମୁଖ୍ୟ ଶିବସୁନ୍ଦର କହିଛନ୍ତି ଯେ ନିକଟରେ କାଳୀ ପୂଜା ବିସର୍ଜନ ଉତ୍ସବରେ ରାଜସୁନାଖଳା ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ନର୍ତକୀ ଅର୍ଦ୍ଧ ଉଲଗ୍ନ ହୋଇ ନୃତ୍ୟ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା। କେବଳ ଏହାନୁହେଁ ଭୁବନେଶ୍ୱର ଓ ଗ୍ରାମାଂଚଳର ଅନେକ ସ୍ଥାନରେ ଏଭଳି ନୃତ୍ୟ ପରିବେଷଣ ହେଉଛି। ଏଭଳି କାର୍ଯ୍ୟକ୍ରମ ଏକ ସଭ୍ୟ ସମାଜ ପ୍ରତି କଳଙ୍କ ଓ ଦେଶର ମାତୃ ଶକ୍ତିକୁ ଦିଆଯାଉଥିବା ସମ୍ମାନର ପରମ୍ପରା ପ୍ରତି ଅପମାନ ବୋଲି କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅନୁଷ୍ଠାନ, ଆୟୋଜକ ଓ ସମ୍ପୃକ୍ତ ଡ୍ୟାନ୍ସ ଗ୍ରୁପ ଉପରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ଏନେଇ ବିଭିନ୍ନ ସ୍ଥାନରେ ହୋଇଥିବା ଅଶ୍ଲୀଳ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଭିଡ଼ିଓ ସିଡି ମଧ୍ୟ ଦାବିପତ୍ର ସହ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର