ପୁରୀ କେନାଲ ବନ୍ଧ ରାସ୍ତାରୁ ଜବରଦଖଲ ଉଚ୍ଛେଦ; ଭାଙ୍ଗିଲା ୫୧ଟି ଘର, ତାରିଣୀ ମନ୍ଦିର

ବାଲିଅନ୍ତା: ହଂସପାଳ ଜାତୀୟ ରାଜପଥ୫ରୁ ବାଲିଅନ୍ତା ବଜାରକୁ ସଂଯୋଗ କରୁଥିବା ପୁରୀ କେନାଲ ବନ୍ଧରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ବ୍ୟାପକ ହୋଇଛି । ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ଲଗାଇ ଉଭୟ ପାର୍ଶ୍ବ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଆଜବେଷ୍ଟସ ଘର, ପ୍ରାଚୀର, ଦୁଇମହଲା କୋଠାଘର, ଏକମହଲା ଛାତ, ଗାଧୁଆ ଘର ଭାଙ୍ଗି ଦିଆଯାଇଥିଲା । ତାରିଣୀ ମନ୍ଦିର ମଧ୍ୟ ଉଚ୍ଛେଦରୁ ବାଦ ପଡ଼ିନଥିଲା ।

ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ ମଧ୍ୟ ଏନଫୋର୍ସ ଟିମ କିଛି ଶୁଣିନଥିଲେ । ତାରିଣୀ ମନ୍ଦିରର  ଅଧାଅଂଶକୁ ଭାଙ୍ଗି ଦିଆଯାଇଥିଲା । ମନ୍ଦିର ଭଙ୍ଗାଯିବା ବେଳେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତପଡ଼ିଥିଲା ।

ଉଲ୍ଲେଖଯୋଗ୍ୟ ଏନଏଚ – ୫ରୁ ବାଲିଅନ୍ତା ବଜାର ପର୍ଯ୍ୟନ୍ତ ପ୍ରାୟ ୨ କିମି ପର୍ଯ୍ୟନ୍ତ ରାସ୍ତାକୁ ନବୀକରଣ କରାଯିବା ଲାଗି ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ – ୪ ପକ୍ଷରୁ ଆବଶ୍ୟକ ଅନୁଦାନ ଅର୍ଥ ମଂଜୁର ହୋଇଛି । ହେଲେ ଉଚ୍ଛେଦ କାର୍ଯ୍ୟ ହୋଇପାରିନଥିବାରୁ ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ସୂଚନା ମୁତାବକ ୨୬ଟି ଆଜବେଷ୍ଟସ ଘର , ୮ଟି ଗାଧୁଆ ଘର , ୧୪ ଶହ ସ୍କୋୟାର ଫୁଟ ବିଶିଷ୍ଟି ଦୋମହଲା ଘରର ୧୨ଟି ‌ଘର , ୭୦୦ ସ୍କୋୟାର ଫୁଟ ୫ଟି ଏକ ମହଲା ଘର ସମେତ ୧୫୦ ଫୁଟ ଲମ୍ବର ପଥର ପ୍ରାଚୀର ଡୋଜର ସାହାଯ୍ୟରେ ଭଙ୍ଗାଯାଇଥିଲା ।  ଏଥିସହିତ ମା’ ତାରିଣୀ ମନ୍ଦିର ୮୦ ପ୍ରତିଶତ ଭଙ୍ଗାଯାଇଥିଲା । ମନ୍ଦିର ଉପରେ ବୁଲଡୋଜର ଚଢ଼ାଇବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର , ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି , ଜୋନ ୪ ଏସିପି ରାଜତ କୁମାର ରାୟ , ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ପ୍ରମୁଖଙ୍କ ସମେତ ପୂର୍ତ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର