ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁପଙ୍କ ପରିବାର, କହିଲେ- ସୁରକ୍ଷା ନମିଳିଲେ ବିଷ ପିଇଦେବୁ

ଝାରସୁଗୁଡ଼ା: ଛତିଶଗଡ଼ ପୁଲିସ ଦ୍ୱାରା ଧମକ୍‌ ଓ ବାରମ୍ବାର ଚିଠି ମିଳିବା ପରେ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପୂରା ପରିବାରର ଲୋକେ ଜିଲ୍ଲାପାଳଙ୍କୁ ଫେରାଦ ଦେବେ। ସେଥିପାଇଁ ଅନୁପଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଭାଇ ଓ ଭାଉଜ ମଧ୍ୟ ପହଞ୍ଚିଛନ୍ତି। ପରିବାର ଲୋକେ କହିଛନ୍ତି, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତିଅଧରେ ଉଠାଇନେବାକୁ କହୁଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ଅନୁପଙ୍କ ପରିବାର ଲୋକେ ଆଜି ରାତି ୭ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଆରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଛନ୍ତି, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ କରିବା ସହ ମାନସିକ ନିଯ୍ୟାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ। ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍‌ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଛି।

ପ୍ରମୋଦ ସାଏ କହିଛନ୍ତି, ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଏଠାରେ ବସି ରହିବୁ। ଏଠାରୁ ଗଲେ ଆମକୁ ମାରିଦେବେ। ଅନୁପଙ୍କ ସ୍ତ୍ରୀ ସୁଷମା କହିଛନ୍ତି, ଘଟଣାରେ ଆମକୁ ଫସାଇ ଦିଆଯାଇଛି। ମୋ ପୁଅକୁ ପୁଲିସ ଉଠାଇ ନେବାକୁ ଧମକ ଦେଉଛି। ସୁରକ୍ଷା ଯୋଗାଇ ଦେବାକୁ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର