ପେଟ୍ରୋଲ, ଡିଜେଲ ଓ ଗ୍ୟାସଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ 

ଭବାନୀପାଟଣା: ମହାମାରୀ କରୋନାରେ ଦେଶ ଆଜି ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ସାଧାରଣ ଲୋକଙ୍କର ଆୟପନ୍ଥା ପ୍ରତିମୁହୂର୍ତ୍ତରେ ସଙ୍କୁଚିତ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ କାମଧନ୍ଦା ନ ପାଇ ଅତି ଦୟନୀୟ ଭାବେ ଭୋକ ଉପାସରେ ଦିନ କାଟୁଛନ୍ତି । ଚାଷୀ ଚାଷକାର୍ଯ୍ୟ ନ କରି ହାତବାନ୍ଧି ବସିଛି । ମୌସୁମୀକୁ ଆଧାର କରି ଖରିଫ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିବାକୁ ଚେଷ୍ଟା କରୁଛି । ଏହି ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅହେତୁକ ମୂଲ୍ୟ ବୃଦ୍ଧି କରିଛନ୍ତି ।

ତୈଳ ମନ୍ତ୍ରଣାଳୟ ନିୟମ ମୁତାବକ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଯଥେଷ୍ଟ କମ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫୦ ଟଙ୍କାରୁ ଅଧିକ ଉତ୍ପାଦ ଶୁଳ୍କ ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି । ଯାହାଫଳରେ ସାଧାରଣ ଖାଉଟି ଉପରେ ଏହାର କୁ ପ୍ରଭାବ ପଡୁଛି । ତୈଳ ଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଜାରରେ ହୁହୁ ହୋଇ ବଢ଼ୁଥିବା ସହ ଚାଷ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତି ର ଖର୍ଚ୍ଚ ମଧ୍ୟ ବଢିଯାଉଛି ବୋଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୈଳ ଉପରେ ଟିକସ କମାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର