ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଙ୍କ ବିକ୍ଷୋଭ

ଖୋର୍ଦ୍ଧା: ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଗଲା । ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ସ୍ଥଗିତ ହେଲା, ଅନୁରୂପ ଭାବେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ । ଏହି ଦାବି ନେଇ ଆଜି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି ପୂର୍ବାହ୍‌ଣରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସଂଘ ବ୍ୟାନେର୍‌ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ପ୍ରାୟ ୪୦ ମିନିଟ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏକ ପ୍ରତିନିଧି ଦଳ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।

ଏହି ସ୍ମାରକପତ୍ରରେ ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାଦାନ ବ୍ୟବସ୍ଥା ସଂପୂର୍ଣ୍ଣ ବିଗିଡ଼ିଯାଇଛି । ଏଣୁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ଶିକ୍ଷା ପାଇପାରିନାହାନ୍ତି । ଏନେଇ ଗତ ୨୩ ତାରିଖରେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା । କିନ୍ତୁ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ । ଏଣୁ ପୁଣି ଥରେ ଆଜି ସ୍ମାରକପତ୍ର ଦିଆଯାଇଛି ।

ସମ୍ବନ୍ଧିତ ଖବର