ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା: ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଓ ଇଞ୍ଜିନିୟରର୍ସ ଏକତା ମଞ୍ଚ ର ଆହ୍ଵାନ ରେ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ଠାରେ ସମସ୍ତ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଘରୋଇକରଣ ଉପରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଏକତା ମଞ୍ଚ ର ସଦସ୍ୟ ମାନେ ଓଡିଶା ସରକାର ବିଦ୍ୟୁତ କ୍ଷେତ୍ରରେ ଥିବା ୱେସ୍କୋ, ନେସ୍କୋ ଓ ସାଉଥକୋ କୁ ଟାଟା ପାୱାର କମ୍ପାନୀ ହାତକୁ ବିକ୍ରି କରିଦେବାର ପ୍ରୟାସ କୁ ଦୃଢ଼ ଭାବରେ ବିରୋଧ କରିଥିଲେ ।  ଏହା ସହିତ ୱେସ୍କୋ ର ଚାକିରୀ ସର୍ତ୍ତାବଳୀ କୁ ଅକ୍ଷୁର୍ଣ୍ଣ ରଖିବା, ଦୀର୍ଘଦିନ ରୁ କାମ କରୁଥିବା ଠିକା ଶ୍ରମିକ ମାନଙ୍କ ସ୍ଥାୟୀ ନିଯୁକ୍ତି , ଖାଲି ପଡିଥିବା ପଦବୀ ପୂରଣ, ଭାରତ ସରକାରଙ୍କ ବିଦ୍ୟୁତ ବିଲ ୨୦୨୦ କୁ ପ୍ରତ୍ୟାହାର କରିବା , ସମସ୍ତ ବିଦ୍ୟୁତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ଓ ସେସୁ କୁ ଟାଟା ପାୱାର ହାତରେ ବିକ୍ରି କରିଦେଇଥିବା ଦଲିଲ କୁ ନାକଚ କରିବା ପାଇଁ ଦାବି କରିଥିଲେ ।
ଘରୋଇକରଣ ଫଳରେ ଓଡିଶା ରାଜ୍ୟର ସମସ୍ତ ବିଦ୍ୟୁତ ଗ୍ରାହକ ଓ ଶ୍ରମିକ କର୍ମଚାରୀମାନଙ୍କର ଅଶେଷ କ୍ଷତି ହେବା ସହ ବିଦ୍ୟୁତ ବିଭାଗର ଆର୍ଥିକ ମାନଦଣ୍ଡ ଦୋହଲି ଯିବାର ସମ୍ଭାବନା ରହିଛି । ଏଥିରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ଅଧିନସ୍ଥ କଳାହାଣ୍ଡି ବିଦ୍ୟୁତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ, ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ରମେଶ ପଣ୍ଡା, ହୀରା ଜିଡିଟି ୱାର୍କସ ସଂଘର ଭଗବାନ ଛତ୍ରୀଆ, ଓଡିଶା ରାଜ୍ୟ ଇଞ୍ଜିନିୟର୍ସ ଏସୋସିଏସନ ସର୍କଲ ର ସେକ୍ରେଟାରୀ ଭାସ୍କର ସେଠି, ଡିଗ୍ରୀ ଇଂଜିନିୟର ଏସୋସିଆସନ ର ମାନସ କୁମାର ସେଠୀ ଓ ୱେସ୍କୋ ଅଫିସର ସର୍ଭିସ ଏସୋସିଏସନ ଅନୁରାଗ ଖଇତାନ ପ୍ରମୁଖ ଯୋଗ ଦେଇଥିଲେ । ଏହି  ଦାବି  ପୂରଣ ନହେଲେ ଆଗାମୀ ଦିନରେ ଏ ବିକ୍ଷୋଭ ଭୟଙ୍କର ରୂପ ନେବ ବୋଲି ଓଡ଼ିଶା ସରକାରଙ୍କୁ ଚେତାବନୀ ଦେଇଥିଲେ ।
ସମ୍ବନ୍ଧିତ ଖବର