ରେଳ ଷ୍ଟେସନ ନାମ ପରିବର୍ତ୍ତନ ଦାବିରେ ଧାରଣା

ରେଳ ଷ୍ଟେସନ ନାମ ପରିବର୍ତ୍ତନ ଦାବିରେ ଧାରଣା

ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ରେଳପଥର ପଦଲାପୁରସ୍ଥିତ ୩ ନମ୍ବର ରେଳଷ୍ଟେସନର ନାମ ରତ୍ନଗିରିକୁ ସଂଶୋଧନ କରି ‘ଉଦୟଗିରି-ରତ୍ନଗିରି ରେଳ ଷ୍ଟେସନ’ ନାମରେ ନାମିତ କରିବା ଦାବିରେ ଆଜି ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଧାରଣା ଦିଆଯାଇଛି।

ବୁଦ୍ଧ ମହୋତ୍ସବ ସମିତିର ଏହି ଦାବିକୁ ସମର୍ଥନ ଜଣାଇ ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଧାରଣାରେ ସାମିଲ ହୋଇଥି​ଲେ। ଏହି ଷ୍ଟେସନ ନିକଟରେ ବୌଦ୍ଧପୀଠ ଉଦୟଗିରି ଅବସ୍ଥିତ। କିନ୍ତୁ ଷ୍ଟେସନଠାରୁ ଦୂରରେ ଥିବା ବୌଦ୍ଧପୀଠ ରତ୍ନଗିରିକୁ ରେଳ ବିଭାଗ ଗୁରୁତ୍ୱ ଦେଇ ପଦଲାପୁର ଷ୍ଟେସନକୁ ରତ୍ନଗିରି ନାମରେ ନାମିତ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଷ୍ଟେସନ ନାମ ସଂଶୋଧନ କରିବା ପାଇଁ ​ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇନାହିଁ। ଏହାର ପ୍ରତିବାଦରେ ଆଜି ସକାଳେ ଆନ୍ଦୋଳନକାରୀମାନେ ପଦଲାପୁର ଷ୍ଟେସନ ନିକଟରେ ଶୃଙ୍ଖଳାର ସହିତ ଧାରଣାରେ ବସିଥିଲେ।

ବୁଦ୍ଧ ମହୋତ୍ସବ ସମିତି ଆବାହକ ସାମ୍ବାଦିକ ମହେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଉମାକାନ୍ତ ବଳ, ରାମଚନ୍ଦ୍ର ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ସାହୁ, ସିପିଆଇ ନେତା ଈଶ୍ୱର ଚନ୍ଦ୍ର ପରିଡ଼ା, ଅଜୟ କୁମାର ବିଶ୍ବାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ଧଳ, ବିଜେପି ନେତ୍ରୀ ସୀମନ୍ତିନୀ ଜେନା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶାରଦା ମହାନ୍ତି, ରବୀନ୍ଦ୍ର ଶାନ୍ତି, ନିରଞ୍ଜନ ସିଂହ, ନିର୍ମଳା ଘଡ଼େଇ ଓ ସରସ୍ୱତୀ ମହାରଣାଙ୍କ ସମେତ ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ବିରାଟ ସମାବେଶ କରାଯିବ ବୋଲି କଂଗ୍ରେସ ନେତା ନିରଞ୍ଜନ ସାହୁ କହିଥିବା ବେଳେ ବିଜେଡି ନେତା ଶାରଦା ମହାନ୍ତି ମଧ୍ୟ ଚେତାବନୀ ଦେଇଥିଲେ। ଶେଷରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଗିରୀଶ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଡ. ଭାଗ୍ୟଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe