ସିନାପାଲି ଥାନା ସମ୍ମୁଖରେ ଦଳିତ ଅଧିକାର ମଞ୍ଚର ବିକ୍ଷୋଭ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ରେବଡ଼ି ଗ୍ରାମର ଲମ୍ୱୋଧର ପୁଞ୍ଜି (୩୧ ବର୍ଷ) ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ନୂଆପଡ଼ା ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି କମଳ ତାଣ୍ତିଙ୍କ ନେତୃତ୍ବରେ ସିନାପାଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନାନୁସାରେ, ଗତ ୧୫ ଫେବ୍ରୁଆରି ସକାଳ ୬ଟାରେ ନିଲଜି ଗ୍ରାମ ନିକଟସ୍ଥ ଡୁଙ୍ଗରିଗୁଡ଼ାରେ ଲମ୍ୱୋଧରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ବାପା ଧନସିଂ ପୁଞ୍ଜି (୫୫) ଏନେଇ ସିନାପାଲି ପୁଲିସ୍‌କୁ ସୂଚନା ଦେଇଥିଲେ। କିନ୍ତୁ ଶବ ସତ୍କାର ପରେ ମୃତକଙ୍କ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। କାହିଁକି ନା ମୃତକଙ୍କ ପ୍ୟାଣ୍ଟ୍‌ ପକେଟରୁ ପର୍ସ, ମୋବାଇଲ, ଏଟିଏମ୍‌ କାର୍ଡ ମିଳିନଥିଲା। କିନ୍ତୁ ସେହି ଏଟିଏମ୍‌ରୁ ବାରମ୍ବାର ଟଙ୍କା ଉଠାଣ ହେଉଥିବା ପରିବାର ଲୋକେ ପ୍ରକାଶ କରୁଛନ୍ତି। ଉକ୍ତ ତଥ୍ୟ ଅନୁସାରେ ପୁଅକୁ ଯୋଜନା କରି ହତ୍ୟା କରାଯାଇଛି ବୋଲି ବାପା ଧନସିଂ ଅଭିଯୋଗ କରିଥିଲେ। ହତ୍ୟାକାରୀକୁ ଗିରଫ ଦାବିରେ ସିନାପାଲି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସିନାପାଲି ଥାନା ଅଧିକାରୀ ଜ୍ୟୋତିରଂଜନ ଗଉଡ଼ ତଦନ୍ତ କରି ୭ଦିନ ମଧ୍ୟରେ ହତ୍ୟାକାରୀକୁ ଧରିବା ପାଇଁ ବାପା ଧନସିଂଙ୍କ ସମେତ ମଞ୍ଚ ଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାରେ ଉଚିତ୍‌ ପଦକ୍ଷେପ ନନେଲେ ଏସ୍‌ପି ଅଫିସ୍‌ ଘେରାଉ କରିବେ ବୋଲି ଶ୍ରୀ ତାଣ୍ଡି ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ବ୍ଲକ୍‌ ଦଳିତ ଅଧିକାର ମଞ୍ଚ ସଭାପତି ପଦ୍ମନାଭ ଜଗତ, ବୀର ଖମାରୀ, ଲମ୍ୱୋଧର ନିଆଲ, ରାଜେଶ ବେହେରା, ଡି. ନିଆଲ, ଲିଙ୍ଗରାଜ ଜାଲ, ଧର୍ମେନ୍ଦ୍ର ପଣ୍ତା, କାର୍ତ୍ତିକ ମହାନନ୍ଦ ସହ ଦଳିତ ଅଧିକାର ମଞ୍ଚ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର