ଆତ୍ମନିର୍ଭର କରିବା ବାହାନାରେ ଠକେଇ, ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା

ସୋନପୁର: ସୋନପୁର ପଟାଭାଡ଼ିରେ ରଶ୍ମି ଇଣ୍ଡଷ୍ଟ୍ରିଜ୍ ଆଣ୍ଡ୍‌ କନସଲ୍‌ଟେନ୍ସି ସର୍ଭିସ‌୍‌ ନାମରେ ଏକ କାର୍ଯ୍ୟାଳୟ ଖୋଲି ବିନୋଦ ଜେନା ନାମକ ଜଣେ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ବାହାନାରେ ଏହି ଠକେଇ ହୋଇଥିଲା। ସଂସ୍ଥା ପକ୍ଷରୁ ମହିଳାମାନଙ୍କୁ ପାମ୍ପଡ଼, ଖଲିଦନା, ଧୂପକାଠି, ସିଲାଇ ମେସିନ୍‌ ଆଦି ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିପାଇଁ କଞ୍ଚାମାଲ ଯୋଗାଇ ପ୍ରସ୍ତୁତ ସାମଗ୍ରୀ କ୍ରୟ କରିବା ସହ ମାସିକ ୫ ହଜାର ଟଙ୍କା ଦେବା ପାଇଁ ମଧ୍ୟ ଏହି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଏଥି ନିମନ୍ତେ ପଞ୍ଜୀକରଣ ପାଇଁ ୨ହଜାର ୫ଶହ ଟଙ୍କା ଓ ପରେ ୨୦ ହଜାର ଟଙ୍କା ଲେଖାଏଁ ନେଇ ସଂସ୍ଥା ଫେରାର ହୋଇଯାଇଥିଲା। ମହିଳାମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସୋନପୁର ଥାନାରେ ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ବିନୋଦ ଏବଂ ତାଙ୍କ ୩ ଜଣ ସହଯୋଗୀଙ୍କୁ ଗିରଫ କରିପାରିନାହିଁ।

ଏମାନଙ୍କ ଗିରଫ ଦାବିରେ ଶନିବାର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପରେ ଏସ୍‌ପି ଦେବୀପ୍ରସାଦ ଦାଶ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ମୋନାଲିସା ଶତପଥୀ, କନକ ତାଣ୍ଡି, ରୋହିଣୀ ସାହୁ, କଳ୍ପନା ନାଏକ, ପାଞ୍ଚାଳି ଖଣ୍ଡାୟତ, କୁନ୍ତି ଗରିଆ, ପିଙ୍କି ‌ଭୋଇ ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର