ଖୋର୍ଦ୍ଧା ଓ ଜଟଣୀରେ ୩୦ରୁ ଅଧିକ ଡେଙ୍ଗୁ ରୋଗୀ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର ପ୍ରଭାବ କମି ଆସିବା ପ୍ରଶାସନକୁ ଆଶ୍ୱସ୍ତି ଦେବାବେଳେ ବର୍ତମାନ ଡେଙ୍ଗୁ ଭୟ ଘାରିବାକୁ ଲାଗିଛି । ବର୍ତମାନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ରୁ ଅଧିକ ଡେଙ୍ଗୁ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାଯାଇଛି ।

ଖୋର୍ଦ୍ଧା ଗ୍ରାମାଂଚଳ ବିଶେଷତଃ ଖୋର୍ଦ୍ଧା ସହରରେ ବର୍ଷା ଋତୁ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ସହରରେ ନର୍ଦ୍ଦମା ନିଷ୍କାସନ ପାଇଁ ୨ ବର୍ଷ ଧରି ଯୋଜନା ଚାଲିଥିଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଇନାହିଁ । ଫଳରେ ବର୍ଷା ଯୋଗୁଁ ସହରର ନର୍ଦ୍ଦମା ଜଳ ସ୍ଥାନେ ସ୍ଥାନେ ଜମି ରହି ମଶା ସୃଷ୍ଟି ହେବା ପ୍ରମୁଖ କାରଣ ପାଲଟିଛି । ଗୋଟିଏ ପଟେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ନିୟନ୍ତ୍ରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଚାପରେ ଥିବା ବେଳେ ବର୍ତମାନ ଖୋର୍ଦ୍ଧା ସହର ସମେତ ଖୋର୍ଦ୍ଧା ଗ୍ରାମାଂଚଳରେ ବର୍ଦ୍ଧିତ ଡେଙ୍ଗୁ ସଂକ୍ରମଣ ପ୍ରଶାସନର ଅଦୂରଦର୍ଶିତା ସ୍ପଷ୍ଟ ହୋଇଛି ।

ଚଳିତ ମାସ ତୃତୀୟ ସପ୍ତାହରେ ଭୁବନେଶ୍ୱର ମହାନଗର ନିଗମରେ ଏକସଙ୍ଗରେ ଶତାଧିକ ଡେଙ୍ଗୁ ରୋଗୀଙ୍କ ଚିହ୍ନଟ ହେବା ପରେ ଚଳିତ ମାସ ୨୩ ତାରିଖରେ ଖୋର୍ଦ୍ଧା ଗ୍ରାମାଂଚଳରେ ଏହାର ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପଦକ୍ଷେପ ନେଇଥିଲା । ପ୍ରଥମ ସ୍ତରରେ ସମସ୍ତ ପୌରାଂଚଳ ଓ ବ୍ଲକ କର୍ତୃପକ୍ଷଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ତେବେ ଖୋର୍ଦ୍ଧା ସହରରେ ନାଳନର୍ଦ୍ଦମା ସଫା କରିବା, ବିଭିନ୍ନ ଆବର୍ଜନାମୟ ସ୍ଥାନରେ ବ୍ଲିଚିଂ ଓ ମଶାମରା ଔଷଧ ସିଂଚନ କରିବା ଆଦି କାର୍ଯ୍ୟକ୍ରମ ହାତକୁ ନେବାକୁ କୁହାଯାଇଥିଲା । କିନ୍ତୁ ଏହା ମଧ୍ୟରେ ୧ ସପ୍ତାହ ବିତିଯାଇଥିଲେ ମଧ୍ୟ ଖୋର୍ଦ୍ଧା ପୌରାଂଚଳରେ ଏନେଇ କୌଣସି ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ଫଳସ୍ୱରୂପ, ବର୍ତମାନ ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ଗତକାଲି ସଂଧ୍ୟାସୁଦ୍ଧା ୧୫ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଟଣୀ ସହରରେ ୫ଜଣ ଓ ନିକଟବର୍ତୀ ଗ୍ରାମାଂଚଳରେ ୧୦ରୁ ଉଦ୍ଧ୍ୱର୍ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ଏନେଇ ଜିଲ୍ଲା ସଂକ୍ରାମକ ରୋଗ ବିଭାଗର ଅଧିକାରୀ ଡା ଜୀବନ୍ତ ଆଚାର୍ଯ୍ୟ କହିଛନ୍ତି ଯେ ଡେଙ୍ଗୁ ସଂକ୍ରମଣ ଭୁବନେଶ୍ୱର ମହାନଗର ନିଗମରୁ ବ୍ୟାପୁଛି । ତେବେ ଖୋର୍ଦ୍ଧା ଗ୍ରାମାଂଚଳରେ ଏହା ଭୁବନେଶ୍ୱର ଭଳି ବ୍ୟାପକ ନୁହେଁ । ଗ୍ରାମାଂଚଳରେ ଏଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଟି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲା ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନେଇ ୨୪ ଘଂଟିଆରେ ନିୟନ୍ତ୍ରଣ କକ୍ଷ ଖୋଲଯାଇଛି । ଏହା ସହ ପ୍ରତିବ୍ଲକରେ ସିଏଚ୍ସିଙ୍କ ଅଧୀନରେ ଏକ ରାପିଡ୍ ଆକ୍ସନ୍ ଟିମ୍ କାମ କରୁଛି ।

ସମ୍ବନ୍ଧିତ ଖବର