ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଗତ ବର୍ଷ ତୁଳନାରେ ୨୦୨୨ରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା କମି ୨ଶହ ମଧ୍ୟରେ ସୀମିତ ରହିଛି। ଗତ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୨ରେ ଏହି ସଂଖ୍ୟା ୧୬୧ରେ ଅଛି। ଗତବର୍ଷ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଘରକୁ ଘର ସ୍ବାସ୍ଥ୍ୟ ଯାଞ୍ଚ୍ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି।
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ବର ବ୍ୟାପୁଛି। ଗତ ୨୦୧୨ରେ ଜିଲ୍ଲାରେ ଡେଙ୍ଗୁ ଜ୍ବର ଉତ୍କଟ ରୂପ ଧାରଣା କରିଥିଲା। ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଗୁରୁତ୍ବ ଦେଇଥିଲା। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ତରଫରୁ ଯାଞ୍ଚ୍ ପ୍ରକ୍ରିୟାକୁ ତନ୍ବରାନିତ କରା ଯାଇଥିଲା। ଫଳରେ ୨୦୧୩ ଠାରୁ ଧୀରେ ଧୀରେ ପଜିଟିଭ୍ ସଂଖ୍ୟା କମିଥିଲା। କିନ୍ତୁ ଗତକିଛି ବର୍ଷ ହେଲା ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୩ଶହ ଉପରକୁ ଚାଲି ଯାଉଥିଲା। ଗତବର୍ଷ ପ୍ରଥମ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେବା କ୍ଷଣି ସ୍ବାସ୍ଥ୍ୟ ବିଭାଗର ଟିମ୍ ତତ୍ପରତା ପ୍ରକାଶ କରିଥିଲା। ଯେଉଁ ଅଞ୍ଚଳରୁ ଡେଙ୍ଗୁ ଚିହ୍ନଟ ହୋଇଥିଲା, ସେଠାକୁ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରିଥିଲା। ଡେଙ୍ଗୁ ମଶାର ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହା ନଷ୍ଟ କରା ଯାଇଥିଲା। ଏହା ସହିତ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମା ନରଖିବା ଓ ପରିବେଶ ସଫାସୁତରା ରଖିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନା କାଜୁଆଲ୍ଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ କରାଯାଇଥିଲା। ଗତବର୍ଷ ଗଞ୍ଜାମ ଜିଲ୍ଲାରେ ମୋଟ ୧୬୧ଜଣ ଡେଙ୍ଗୁ ପଜିଟିଭ୍ ହୋଇଥଲେ। ତନ୍ମଧ୍ୟରୁ ୬୮ଜଣ ବାହାର ଜିଲ୍ଲା ଓ ଅନ୍ୟ ରାଜ୍ୟରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ଶହେରୁ କମ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରୁ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍ ଚିହ୍ନଟ ହୋଇଥିଲେ।