ରାଉରକେଲା: ରାଜଧାନୀ ଭୁବନେଶ୍ବର, କଟକ ପରେ ରାଉରକେଲା ସ୍ମାର୍ଟସିଟିରେ ଆତଙ୍କ ସୃଷ୍ଟି କରିଛି ଡେଙ୍ଗୁ । ଗତ ମାତ୍ର ୨୦ ଦିନରେ ରାଉରକେଲାରେ ୧୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୯ ରୋଗୀ ରେଲୱେ କଲୋନିର। ସେକ୍ଟର -୨୦ରେ ଦୁଇଜଣ ଓ ବନ୍ଧମୁଣ୍ଡାରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୧୨ ରୋଗୀଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡିଛି।
ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଦୁଇ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ରେଲୱେ କଲୋନିର ୧୨ କର୍ମଚାରୀ ଡେଙ୍ଗୁ ଆକ୍ରାନ୍ତ ହେବା ପରେ ସ୍ମାର୍ଟସିଟି ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।
ସଂକ୍ରମଣ ରୋକିବାକୁ ଆର୍ଏମ୍ସି କର୍ତ୍ତୃପକ୍ଷ ରେଳବାଇ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପରିମଳ, ମଶାଧୂଆଁ ଓ ଅନାବନା ବୁଦା ସଫା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଆର୍ଏମ୍ସି ପକ୍ଷରୁ ରେଳବାଇ କଲୋନିରେ ବୁଦା ସଫା କରାଯିବା ସହ ଦୈନିକ ସଂଧ୍ୟା ମଶା ଧୂଆଁ ଦିଆଯାଉଛି। ଅଳିଆ ଆବର୍ଜନା ପଡିଥିବା ଜାଗାରେ ବ୍ଲିଚିଂ ପାଉଡର ପକାଯିବା ସହ ରାସାୟନିକ ପଦାର୍ଥ ସିଞ୍ଚନ କରାଯାଉଛି। ସେପଟେ ଆର୍ଏମ୍ସି ଅଧିକାଂଶ ବସ୍ତିରେ ମାସ ମାସ ଧରି ଅଳିଆ ଆବର୍ଜନା ସଫା ହେଉନଥିବାରୁ ଡେଙ୍ଗୁ ବ୍ୟାପୀବାର ସମ୍ଭାବନା ରହିଛି। ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ମଧ୍ୟ ଆର୍ଏମ୍ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡା ଯାଉ ନାହିଁ। ଡ୍ରେନ୍, ନାଳିରେ କେମିକାଲ ସିଞ୍ଚନ କରାଯାଉ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରେଳବାଇ କଲୋନିର ସଂକ୍ରମଣ ଯେପରି ଆର୍ଏମ୍ସିର କୌଣସି ୱାର୍ଡକୁ ନ ବ୍ୟାପେ, ଏଥିପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ଦାବି ହେଉଛି।