ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବର୍ଷା ହେବା ପରେ ଏବେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଆରମ୍ଭ ହୋଇଛି। ସମ୍ବଲପୁରରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ହୋଇଥିବା ବେଳେ ଜଣେ ଶିଶୁକନ୍ୟା ଓ ଜଣେ ପୁରଷ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ୨ ଜଣ ନିଜ ଘରେ ଅଛନ୍ତି। ସେମାନଙ୍କୁ ସଂଗରୋଧରେ ରହିବା ଏବଂ ମଶାରି ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଡେଙ୍ଗୁ ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ପ୍ରାୟ ୧୫ ଦିନ ଆଗରୁ ବି ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନେ ଏବେ ସୁସ୍ଥ ଥିବା କହାଯାଇଛି। ସଂପୃକ୍ତ ରୋଗୀମାନେ ଭୁବନେଶ୍ବରରୁ ଫେରିବା ପରେ ଏଠାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ, ଏବେ ଯେଉଁମାନେ ଚିହ୍ନଟ ହୋଇଛନ୍ତି, ସେମାନେ ନିକଟରେ କୌଣସି ବାହାର ଜାଗାକୁ ଯାଇନଥିଲେ। ଏବେ ଯେଉଁ ଅଂଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି, ଆସନ୍ତାକାଲି ଠାରୁ ସଂପୃକ୍ତ ଅଂଚଳରେ ନମୁନା ସଂଗ୍ରହ କରାଯିବ। ତେବେ ସତର୍କତା ଦୃଷ୍ଟିରୁ ମହାନଗରବାସୀଙ୍କୁ ମଶାରୀ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।