ରାଉରକେଲା: ଇସ୍ପାତ ସହର‌ରେ ଛାଇଗଲାଣି ଡେଙ୍ଗୁ ରୋଗ। ଘରେ ଘରେ ଏବେ ଡେଙ୍ଗୁ ରୋଗୀ। ନିୟମିତ ସଫେଇ କରାଯାଉନି କିମ୍ବା ସଂକ୍ରମଣ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଉନି। ଡେଙ୍ଗୁର ପ୍ରତିକାର ଓ ନିରାକରଣ କେବଳ ପ୍ରଚାର ପ୍ରସାରରେ ସୀମିତ ରହିଛି। ଅପରପକ୍ଷରେ ପରିମଳ ବ୍ୟବସ୍ଥାକୁ ଆବଶ୍ୟକ ଦୃଷ୍ଟି ନ ଦେଇ ଡେଙ୍ଗୁକୁ ନିମନ୍ତ୍ରଣ କରାଯାଉଛି। ଉଦାହରଣସ୍ବରୂପ କଳିଙ୍ଗବିହାରସ୍ଥ ପାର୍କ ସମ୍ମୁଖରେ ଥିବା ଖୋଲା ନାଳକୁ ନିଆଯାଇପାରେ। ଜନବସତି ଅଞ୍ଚଳରେ ଥିବା ଏହି ପାର୍କରେ ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ। ବିଶେଷକରି ଅଞ୍ଚଳର ଶିଶୁଙ୍କ ଖାଲି ସମୟ ଏଠାରେ ହିଁ ବିତିଥାଏ।

Advertisment

ଏହି ପାର୍କ ସମ୍ମୁଖରେ ଏକ ଖୋଲା ନାଳ ରହିଛି; ଯେଉଁଠାରେ ଅଳିଆ ଭର୍ତ୍ତି ହୋଇ ରହିଛି। ଏଠାରେ ମଶାଙ୍କ ଉତ୍ପାତ ସୀମା ଟପିଥିବାବେଳେ ପୁତିଗନ୍ଧମୟ ପରିବେଶ ସୃଷ୍ଟି କଲାଣି। କେବଳ ଏହି ଗୋଟିଏ ନାଳ ନୁହେଁ; ବରଂ ସହରେ ଥିବା ଏକାଧିକ ନାଳ, ନର୍ଦ୍ଧମାର ସମାନ ସ୍ଥିତି। ଖାସ୍‌ ଏହି କାରଣରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ୍‌ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ୮୬% ରୋଗୀ କେବଳ ରାଉରକେଲା ସହରାଞ୍ଚଳର।

ଗତ ୮ ତାରିଖ ଯାଏ ଜିଲ୍ଲାରେ ୭୪୭ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ୬୪୨ ଜଣ(୮୫.୯୪) ରାଉରକେଲା ସହରାଞ୍ଚଳର ଓ ଅବଶିଷ୍ଟ ୧୦୫ ଜଣ(୧୪.୦୫%) ହେଉଛନ୍ତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆର୍‌ଏସ୍‌ପି ସହରାଞ୍ଚଳ, ରାଉରକେଲା ମହାନଗର ନିଗମ ଅଞ୍ଚଳ ଓ ରେଲୱେ କଲୋନିରୁ ନିୟମିତଭାବେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ଆତଙ୍କ ଖେଳାଇଲାଣି। ରାଉରକେଲାରୁ ଚିହ୍ନଟ ହୋଇଥିବା ମୋଟ୍‌ ୬୪୨ ଜଣଙ୍କ ମଧ୍ୟରୁ ସର୍ବାଧିକ ଆର୍‌ଏସ୍‌ପି ସହରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଯାବତ୍‌ ଆର୍‌ଏସ୍‌ପି ସହରାଞ୍ଚଳରୁ ୪୦୬ ଜଣ(୬୩.୨୩%) ଚିହ୍ନଟ ହୋଇଥିବାବେଳେ ଆର୍‌ଏମ୍‌ସି ଅଞ୍ଚଳରୁ ୨୧୭ ଜଣ(୩୩.୮୦%) ଓ ରେଲୱେ କଲୋନିରୁ ୧୯ ଜଣ(୨.୯୫%) ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ କିଞ୍ଜିରକେଲାରୁ ୬ ଜଣ ‌ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହାତିବାରୀରୁ ୬ ଜଣ, ଲହୁଣିପଡ଼ାରୁ ୩, ବିଶ୍ରାରୁ ୧୨, ସୁନ୍ଦରଗଡ଼ ଟାଉନରୁ ୨୪, ମଝାପଡ଼ାରୁ ୪, ମଙ୍ଗସପୁରରୁ ୪, ସବଡେଗାରୁ ୪, ବୀରମିତ୍ରପୁରରୁ ୪, ବିରକେରାରୁ ୯, ଲାଇଙ୍ଗରୁ ୨, କୋଇଡ଼ାରୁ ୨, ରାଜଗାଙ୍ଗପୁରରୁ ୧୦, ସର୍ଗିପାଲିରୁ ୩, ବଡ଼ଗାଁରୁ ୪, ହେମଗିରରୁ ୧, କୁଆରମୁଣ୍ଡାରୁ ୨, କୁତ୍ରାରୁ ୩, ଗୁରୁଣ୍ଡିଆରୁ ୧ ଓ ବଣାଇରୁ ୧ ଜଣ ଚିହ୍ନଟ ହୋଇଛନ୍ତି।

କ୍ରମବର୍ଦ୍ଧିଷ୍ଣୁ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟାକୁ ଦେଖିଲେ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା ସ୍ପଷ୍ଟ ପରିଲକ୍ଷିତ ହୁଏ। ସଂକ୍ରମଣ ରୋକିବାକୁ ଯେଉଁ ମାତ୍ରାରେ ପ୍ରତିଷେଧକ ବ୍ୟବସ୍ଥା କରାଯିବା କଥା ତାହା ଦେଖିବାକୁ ମିଳୁନି। ଫଳରେ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି ସିନା; କମିବାର ନାଁ ନେଉନି।