ରାୟଗଡା: ରାୟଗାଡ ଜିଲ୍ଲାରେ ଚଳିତବର୍ଷ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି। ଗତବର୍ଷ ଜିଲ୍ଲାରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏଥର ଶେଷରେ ରହିଛି। ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣର ମୁଖ୍ୟ ପୁରଧା ହେଉଛନ୍ତି ଆଶା ଦିଦି। ୧୧ଟି ବ୍ଲକର ସମସ୍ତ ଗ୍ରାମରେ ଆଶା କର୍ମୀମାନେ ନିୟମିତ ଲୋକଙ୍କୁ ସଚେତନ କରାଇବା ସହ କମ୍ୟୁନିଟି ତରଫରୁ ମଧ୍ୟ ଲୋକେ ନିଜେ ସଚେତନ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଡେଙ୍ଗୁ ଜିଲ୍ଲାରେ କମିଛି ବୋଲି କୁହାଯାଇଛି। ପୁଣି ଜିଲ୍ଲାରେ ବର୍ଷାର ଦେଖାନଥିବା ଯୋଗୁଁ ଡେଙ୍ଗୁ ସ୍ଥିତି ବୃଦ୍ଧି ପାଉନଥିବା କୁହାଯାଇଛି। ତେବେ ବିପଦ ଟଳି ନଥିବା ମଧ୍ୟ କୁହାଯାଇଛି। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବିପଦ ରହିଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ସଚେତନତା ଏବଂ ଔଷଧ, ମଶାରୀ ପ୍ରଦାନ କରାଯାଉଛି। ଲଗାଣ ବର୍ଷା ହୋଇଥିଲେ ଡେଙ୍ଗୁର ସ୍ଥିତି ଜଟିଳ ହେବାର ଆଶଙ୍କା ରହିଥିଲା। ଚଳିତବର୍ଷ ୨୮୩ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୮ ଜଣ ପୋଜିଟିଭ ବୋଲି ଜଣାପଡିଥିଲା। କୌଣସି ରୋଗୀର ମୃତ୍ୟୁ ହୋଇନାହିଁ। ତେବେ ଏହି ୧୮ ଜଣଙ୍କ ମଧ୍ୟରୁ ଦୁଇଜଣ ଭୁବନେଶ୍ବର ଫେରନ୍ତା ଏବଂ ଜଣେ ଆନ୍ଧ୍ରରୁ ଆସିଥିବା ବିଭାଗ କହିଛି। ଜିଲ୍ଲା ହସପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଶଯ୍ୟା ରହିଛି। ତେବେ ରୋଗୀ ଘରେ ରହି କିମ୍ବା ବାହାର ରାଜ୍ୟରେ ଯାଇ ଚିକିତ୍ସିତ ହେଉଥିବା ଜଣାପଡିଛି।ଡେଙ୍ଗୁ ପାଇଁ ରହିଥିବା କଠୋରୀ ଖାଲି ପଡିଛି। ଅନ୍ୟ ଦିଗରେ ରାୟଗଡା ହସ୍ପିଟାଲରେ ପ୍ଲେଟଲେଟର ବ୍ୟବସ୍ଥା ନଥିବାରୁ ମେଡିକାଲ ତରଫରୁ ୫୦ ହଜାରରୁ ତଳକୁ ପ୍ଲେଟଲେଟ କମିଲେ ତୁରନ୍ତ ରେଫର କରାଯାଉଛି। ରୋଗୀ ଗୁରୁତର ହେବା ପର୍ଯ୍ୟନ୍ତ ମେଡିକାଲରେ ରଖାଯାଉ ନାହିଁ।
ଯଦି ଗତ ୫ ବର୍ଷର ରିପୋର୍ଟ ଦେଖିବା ୨୦୧୮ ମସିହାରେ ୬୨୪ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୮୭ ଜଣ ପଜିଟିଭ ବୋଲି ଜଣାପଡିଥିଲା ଏବଂ ଜଣେ ମୃତ୍ୟୁବରଣ କରିଥିଲା। ୨୦୧୯ ମସିହାରେ ୪୨୫ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୫୪ ଜଣଙ୍କର ପଜିଟିଭ ବାହାରିଥିଲା। ୨୦୨୦ ମସିହାରେ ୬୯୯ ଜଣଙ୍କର ରକ୍ତ ନମୂନା ପରୀକ୍ଷା ପରେ ୧୫୮ ଜଣଙ୍କର ପଜିଟିଭ ବାହାରିଥିଲା। ସେହିପରି ୨୦୨୧ ମସିହାରେ ୧୫୧୮ ଜଣଙ୍କର ରକ୍ତ ନମୂନା ପରୀକ୍ଷା ପରେ ୩୩୩ ଜଣ ପଜିଟିଭ ବୋଲି ଜଣାପଡିଥିଲା।୨୦୨୨ ମସିହାରେ ୨୦୯୬ ଜଣଙ୍କର ରକ୍ତ ନମୂନା ପରୀକ୍ଷା ପରେ ୫୩୯ ଜଣଙ୍କର ପଜିଟିଭ ବୋଲି ଜଣା ପଡିଥିଲା। ଗତବର୍ଷ ଜିଲ୍ଲାରେ ଡେଙ୍ଗୁ ଅଣାୟତ ହୋଇଥିଲା। ଏଥିରୁ ସ୍ବାସ୍ଥ୍ୟ ବିଭାଗ ଶିକ୍ଷା ଲାଭ କରି ଚଳିତବର୍ଷ ପ୍ରାରମ୍ଭରୁ ହିଁ ଲୋକଙ୍କୁ ସଚେତନ କରାଇବା ସହ ମଶାରୀ ବ୍ୟବହାର ଉପରେ ଜୋର ଦିଆଯାଇଛି। ଘର ସାମ୍ନାରେ ପାଣିକୁ ଜମିବାକୁ ଦିଆଯାଇ ନାହିଁ। ଦଶହରା ଆସିଲେ ଲୋକେ ଘରଦ୍ବାର ସଫାସୁତରା କରନ୍ତି। ଏହି ସମୟରେ ହିଁ ଡେଙ୍ଗୁ ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଇଛି। ତେଣୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବ କି କମିବ ସେପ୍ଟେମ୍ବର ମାସ ନସରିବା ପର୍ଯ୍ୟନ୍ତ କିଛି କହି ହେବ ନାହଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।