ରାୟଗଡ଼ା: ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ସମ୍ଭାଳୁଛନ୍ତି ବ୍ଲକ ଶିକ୍ଷାଧିକାରୀ (ବିଇଓ) ପଦ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ତୁଲାଉଛନ୍ତି ପ୍ରଧାନଶିକ୍ଷକ ଦାୟିତ୍ବ। ଆଦିବାସୀ ଅଧ୍ୟୁଷିତ ତଥା ଆକାଂକ୍ଷା ଜିଲ୍ଲା ରାୟଗଡ଼ା ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଏମିତି ବିଚିତ୍ର ଚିତ୍ର। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା ଅଧିକାରୀ କର୍ମଚାରୀ ମରୁଡ଼ି ଯୋଗୁ ବିଇଓ, ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଥିବାରୁ ଶିକ୍ଷା ରସତଳଗାମୀ ହେବାରେ ଲାଗିଛି। ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି ଅବ୍ୟବସ୍ଥା। କ୍ଲାସ-୨ ଶିକ୍ଷକଙ୍କ ଅଭାବ ଯୋଗୁ ଗତ ୩ ବର୍ଷରେ ଜିଲ୍ଲାର ୯ ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୁକ୍ତି ହୋଇ ପାରୁନାହାନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ରାମନାଗୁଡା, ମୁନିଗୁଡା ଓ  ପଦ୍ମପୁର ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଅତିରିକ୍ତ ଦାୟିତ୍ୱ ନେଇ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ, ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି, ଦକ୍ଷତାମୂଳକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରତି ବ୍ଲକରେ ଜଣେ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଖାଲି ପଡିଥିବା ପଦବି ପୂରଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ରାୟଗଡ଼ା ଜିଲ୍ଲାର ୯ ବ୍ଲକରେ ଗୋଷ୍ଠୀ ଶିକ୍ଷାଧିକାରୀ ପଦବି ଖାଲି ପଡିଛି। ପଦବି ପୂରଣ ପାଇଁ ବାରମ୍ବାର ସରକାରଙ୍କୁ ଅବଗତ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ଜିଲ୍ଲାର ୧୧ ବ୍ଲକରୁ ରାୟଗଡ଼ା, କଲ୍ୟାଣସିଂହପୁର, ଚନ୍ଦ୍ରପୁର, ଗୁଡାରି, ଗୁଣପୁର ଓ କାଶୀପୁର ବ୍ଲକରେ ଗତ ୪ ବର୍ଷ ହେଲା ଗୋଷ୍ଠୀ ଶିକ୍ଷାଧିକାରୀ ପଦବି ଖାଲି ପଡିଛି। ଫଳରେ ରାୟଗଡ଼ା ଓ କଲ୍ୟାଣସିଂହପୁର ବ୍ଲକ ବିଇଓ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଦାୟିତ୍ୱ ତୁଲାଉଛନ୍ତି। କାଶୀପୁର ବ୍ଲକ ବିଇଓ ଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଦାୟିତ୍ୱ ତୁଲାଉଛନ୍ତି।

Advertisment

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ରାମନାଗୁଡା ବିଇଓ ସୃଜନ ମଲ୍ଲିକ ଗୁଣପୁର ବ୍ଲକ ବିଇଓ ସହ ଗୁଣପୁର ସରକାରୀ ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ୪ଟି ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଜଣେ ବିଇଓ ନିଜ ବ୍ଲକରେ ଥିବା ଶିକ୍ଷା ବ୍ୟବସ୍ଥାର ଉନ୍ନତି କରିବା ସହ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଲାଗି ସମୟ ପାଉନଥିବା ବେଳେ ଅନ୍ୟ ବ୍ଲକର ବିଇଓ ଦାୟିତ୍ୱ ଏବଂ ୨ଟି ହାଇସ୍କୁଲର ଦାୟିତ୍ୱ କିପରି ଭାବେ ସମ୍ଭାଳୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁନିଗୁଡା  ଗୋଷ୍ଠୀ ଶିକ୍ଷାଧିକାରୀ ଭି. ଭି. ଭାସ୍କର ଗତ ସେପ୍ଟେମ୍ବର ମାସରୁ ବିଷମକଟକ ଏବଂ ଦୀର୍ଘ ୪ ବର୍ଷ ହେବ ଚନ୍ଦ୍ରପୁର ବ୍ଲକର ବିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି। ପଦ୍ମପୁର ବିଇଓ ସୁବାଷ ଶବରଙ୍କୁ ଗୁଡାରି ବିଇଓ ସହ ଗୁଡାରି ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି। କୋଲନରା ବିଇଓ ଏମ୍. ଖଗେଶ୍ୱର ରାଓ ଆସନ୍ତା ଜାନୁଆରୀରେ ଅବସର ଗ୍ରହଣ କରିବେ। ଫଳରେ ଉକ୍ତ ବ୍ଲକରେ ମଧ୍ୟ ବିଇଓ ପଦବି ଖାଲି ପଡିବା ସ୍ପଷ୍ଟ ହୋଇଯାଇଛି। ଅନେକ ସମୟ ଧରି ଅତିରିକ୍ତ ଦାୟିତ୍ବ ତୁଲାଉଥିବା ଅଧିକାରୀ ବ୍ଲକ ପରିଦର୍ଶନରେ ଯାଇ ପାରୁନଥିବାରୁ ବ୍ଲକରେ ଶିକ୍ଷାନୀତି ରସତଳଗାମୀ ହେବାରେ ଲାଗିଛି। ୨୦୨୧ରେ ରାୟଗଡ଼ା ବିଇଓ ରଜନୀକାନ୍ତ ସାମନ୍ତରାଏ ଅବସର ନେବା ପରେ ଏହି ପଦବିର ଦାୟିତ୍ୱ ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝି ତୁଲାଉଛନ୍ତି। ଏଥିସହ ଶ୍ରୀ ମାଝୀ ଜିଲ୍ଲା ସଦର ମହକୁମାରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବରେ ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ୨ଟି ପଦବି ମଧ୍ୟରୁ ଗୋଟିଏ ପଦବି ହିଁ ପୂରଣ ହୋଇଥିବାରୁ ଗତ ୩୦ ବର୍ଷ ହେଲା ଆଉ ଗୋଟିଏ ପଦବି ଅତିରିକ୍ତ ଦାୟିତ୍ବରେ ଚାଲିଛି।