ଚନ୍ଦାହାଣ୍ଡିରେ ଚାଷୀ ପଞ୍ଜିକରଣ ଦୁର୍ନୀତି ମାମଲା, ଜେଲଗଲେ ବହିଷ୍କୃତ ଡିଇଓ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଚାଷୀ ପଞ୍ଜିକରଣ ଦୁର୍ନୀତି ମାମଲାରେ ବହିଷ୍କୃତ ଲ୍ୟାମ୍ପ ଡିଇଓକୁ ଗିରଫ କରିଛି ପୁଲିସ। ବିଗତ ଦିନ ରେ ଚାକିରିରୁ ବହିଷ୍କୃତ ହୋଇ ଥିବା ଡାଟା ଏଣ୍ଟ୍ରି ଅପରେଟର ସ୍ନେହେଶ୍ବର ମନହିରାକୁ ଆଜି ଚନ୍ଦାହାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ଯିବାକୁ ପଡିଛି।

ସୂଚନା ଥାଉକି ଚନ୍ଦାହାଣ୍ଡି ଧାନ ମଣ୍ଡିରେ ପ୍ରକୃତ ଚାଷୀଙ୍କ ଜମି ପଟ୍ଟା ସଲଗ୍ନ କରି ଜାଲ ନକଲି ଚାଷୀମାନେ ପଞ୍ଜିକରଣ କରି ହଜାର ହଜାର କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ । ଚନ୍ଦାହାଣ୍ଡି ଲ୍ୟାମ୍ସରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସ୍ନେହେଶ୍ବର ମନହିରା କିଛି ଦଲାଲଙ୍କ ସହ ମିଶି ଚଞ୍ଚକତା କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏଥିସହ ଚନ୍ଦାହାଣ୍ଡି ଲ୍ୟାମ୍ସ ଏମଡି ଗତ ଫେବୃଆରି ୬ ତାରିଖ ଦିନ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ ।

ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୧୭/୨୧ ପ୍ରକାରେ ଆଇପିସିର ଧାରା ୪୨୦/୪୬୫/୪୬୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସ୍ନେହେଶ୍ବର ମନହିରା ସେହିଦିନ ଠାରୁ ଫେରାର ହୋଇ ଯାଇଥିବା ବେଳେ ଗତକାଲି ରାତିରେ ନିଜ ସନ୍ଧିମୁଣ୍ଡାସ୍ଥିତ ଘରେ ଆତ୍ମଗୋପନ କରିଥିବା ଖବର ପାଇ ଚନ୍ଦାହାଣ୍ଡି ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଚନ୍ଦାହାଣ୍ଡି ଥାନାକୁ ଆଣି ପଚରାଉଚରା କରିବା ସହ ଆଜି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଥିବା ତଦନ୍ତ ଅଧିକାରୀ ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର