କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ବଲାଙ୍ଗୀର/ଦେଓଗାଁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରୀଶ ପାତ୍ରଙ୍କ ଆଦର୍ଶପଡ଼ାଠାରେ ଥିବା ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସେହିପରି ଦେଓଗାଁ ବ୍ଲକ୍‌ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ ଖୋଳତାଡ଼ କରିଛି। ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ଯନ୍ତ୍ରୀଙ୍କ ୨ଟି ଘର, ଜମିବାଡ଼ି, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ଏସବୁକୁ ନେଇ ସଂପତ୍ତିର ଆକଳନ କରୁଛି ଭିଜିଲାନ୍ସ। ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅନୁମାନ କରାଯାଉଛି। ଘରୁ ନଗଦ ୮୨ ହଜାର ଟଙ୍କା, ସୁନା ଅଳଙ୍କାର ବାହାରିଛି। ଏହାସହ ବ୍ୟାଙ୍କ ଆକାଉଣ୍ଟ ଓ ବିଭିନ୍ନ ପଲିସିରେ ସେ କେତେ ଟଙ୍କା ଜମା ରଖିଛନ୍ତି ତାହାର ତଦନ୍ତ କରୁଛି ଭିଜିଲାନ୍ସ।

ଏହି ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶିରଥି ସେଠୀ, ବଲାଙ୍ଗୀର ଡିଏସ୍‌ପି କାଦମ୍ବିନୀ ସାମଲ, ସୋନପୁର ଭିଜିଲାନ୍ସ ଇନିସ୍ପେକ୍ଟର, ବଲାଙ୍ଗୀର ଇନିସ୍ପେକ୍ଟର ସଦାନନ୍ଦ ପାଣି ପ୍ରମୁଖ ସାମିଲ ଥିଲେ। ବଲାଙ୍ଗୀରରେ ଯନ୍ତ୍ରୀଙ୍କ ଦୁଇଟି ଘର, ଜମିବାଡ଼ି ଆଦି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରାୟ ୫ଟି ପ୍ଲଟ ତାଙ୍କର ଥିବା କୁହାଯାଉଛି। ସମୁଦାୟ କେତେ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଛି ସବୁର ଆକଳନ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ କହିଛନ୍ତି। ଅନ୍ୟପଟେ ଯନ୍ତ୍ରୀ ପାତ୍ର ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନ ଥିବା ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର