ଚାକିରି ଜୀବନରୁ ଅବସର ନେଲେ ଦେବଗଡ଼ ଏସପି

ଦେବଗଡ଼: ଦୀର୍ଘ ୩୯ ବର୍ଷ ଧରି ଓଡ଼ିଶା ପୁଲିସକୁ ସେବା ପ୍ରଦାନ ପରେ ରିବାର ଚାକିରିରୁ ଅବସର ଗ୍ରହଣ କଲେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ। ଏନେଇ ଆଜି ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ ଓ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏସପି ଶ୍ରୀ ପାଇକରାୟଙ୍କ କାର୍ଯ୍ୟ ଦକ୍ଷତା ଓ ଜିଲ୍ଲା ପୁଲିସରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏ ଅବସରରେ ଜିଲ୍ଲା ପୁଲିସ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ସହିତ ଏଏସଆଇ ବିପିନ ବିହାରୀ ଗଡ଼ନାୟକ, ହାବିଲଦାର ହୃଦାନନ୍ଦ ପ୍ରଧାନ, କନେଷ୍ଟବଳ ସୁଧିର ନାୟକ ମଧ୍ୟ ଆଜି ଚାକିରି ଜୀବନରୁ ଅବସରଗ୍ରହଣ କରିଥିଲେ।

ସେମାନଙ୍କୁ ମଧ୍ୟ ଜିଲ୍ଲା ପୁଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀ ପାଇକରାୟଙ୍କୁ କାନ୍ଧରେ ବସାଇ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ବାହାରକୁ ଅଣା ଯାଇଥିବା ବେଳେ ପୁଲିସ ବ୍ୟାଣ୍ଡ ଧୁନର ତାଳେ ତାଳେ ପୁରୁଷ ଓ ମହିଳା ପୁଲିସ କର୍ମଚାରୀମାନେ ଏସପିଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଛାଡ଼ିବାକୁ ଯାଇଥିଲେ। ଶୋଭାଯାତ୍ରା ବାସଭବନ ନିକଟରେ ପହଞ୍ଚିବା ପରେ ଏସପି ଶ୍ରୀ ପାଇକରାୟଙ୍କ ସହଧର୍ମିଣୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର