ବିଧାୟକଙ୍କ ନାଁରେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଅଭିଯୁକ୍ତ ସମ୍ବଲପୁରରୁ ଗିରଫ, ଜାଲ୍‌ ନୋଟ ଓ ଚୋରିରେ ସଂପୃକ୍ତ 

ଦେବଗଡ : ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କ ନାଁରେ ଫେକ୍‌ ଫେସବୁକ ଆକାଉଣ୍ଟ କରି କେହି ଜଣେ ବିଭିନ୍ନ ବ୍ୟକ୍ତିଙ୍କ ସହ ଚାର୍ଟିଂ କରିବା ସହ ଅର୍ଥ ମାଗୁଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଜାଣିବା ପରେ ଖୋଦ୍‌ ବିଧାୟକ ଦେବଗଡ଼ ଥାନାରେ ଏତଲା ଦେବା ସହ କେହି ତାଙ୍କୁ ବଦନାମ କରିବାକୁ ଏଭଳି କାରସଦି କରୁଥିବା ଦର୍ଶାଇଥିଲେ। ଏତଲା ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣା ତଦନ୍ତ କରିବା ସହ ସମ୍ବଲପୁର ସହର ଫାଟକରୁ ମୁଖ୍ୟ ଅଭିଯୁକ୍ତ ସୂରଜ ମଣ୍ଡଳକୁ ଗିରଫ କରିଛି। ରବିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଆଜି ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ଡିପିଓ ସୁଲେମାନ୍‌ ଏକ୍କା ସୂଚନା ଦେଇଛନ୍ତି।

ପୁଲିସ୍‌ର ସୂଚନାନୁସାରେ ସମ୍ବଲପୁରର ଇଟାବନ୍ଧ ଅଂଚଳରେ ରହୁଥିବା ସୂରଜ ମଣ୍ଡଳ ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କ ନାଁରେ ଫେସ୍‌ବୁକ୍‌ରେ ଏକ ଜାଲ ଆକାଉଣ୍ଟ କରି ବିଭିନ୍ନ ଲୋକଙ୍କ ସହ ଚାଟିଙ୍ଗ୍‌ କରିବା ସହ ଏସ୍‌ବିଆଇ ଆକାଉଣ୍ଟ ନମ୍ବର ୩୧୧୮୬୪୨୫୫୨୦ ଓ ଏଟିମ କାର୍ଡ ନମ୍ବର ୫୧୦୩୭୨୦୧୬୬୪୮୭୩୯୫ରେ ଟଙ୍କା ଡିପୋଜିଟ କରିବା ପାଇଁ ସେମାନଙ୍କୁ କହୁଥିଲା। ଉକ୍ତ ଘଟଣା ସଂପର୍କରେ ବିଧାୟକ ଶ୍ରୀ ଗଙ୍ଗଦେବ ସୂଚନା ପାଇବା ପରେ ପ୍ରଥମେ ଦେବଗଡ଼ ଏସପି ବି. ଗଙ୍ଗାଧରଙ୍କୁ ଜଣାଇବା ସହ ମଙ୍ଗଳବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତଦନ୍ତ ବେଳେ ସୂରଜର ସଂପୃକ୍ତ ସମ୍ପର୍କରେ ଏସ୍‌ପି ସୂଚନା ପାଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଶ୍ରୀ ଏକ୍କା, ଇନିସ୍‌ପେକ୍ଟର ରତ୍ନାକର ମଲ୍ଲିକ, ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା, ଏସ୍‌ଆଇ ଚୈତନ୍ୟ ଗଡ଼ନାୟକ ସଦଳବଳେ ସମ୍ବଲପୁରରେ ପହଞ୍ଚି ଫାଟକ ନିକଟରୁ ସୂରଜକୁ ଗିରଫ କରିଥିଲେ। ତା’ ନିକଟରୁ ଏସ୍‌ବିଆଇର ପାସ୍‌ବୁକ୍‌ ଜବତ କରାଯାଇଥିବା ବେଳେ ଆକାଉଣ୍ଟ୍‌ଟି ତା’ ସ୍ତ୍ରୀ ଚୁମ୍‌କି ମଣ୍ଡଳ ନାଁରେ ଥିବା ପୁଲିସ ପ୍ରକାଶ କରିଛି। ଏହା ସହିତ ସୂରଜ ଜାଲ୍‌ ନୋଟ, କଫ ସିରପ୍‌ କାରବାର ସହ ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥିବା ଏସ୍‌ଡିପିଓ ଶ୍ରୀ ଏକ୍କା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର