ଦେବଗଡ଼: ପ୍ରେମରେ ବିଫଳ ହେବା ପରେ ଜଣେ ସିଆର୍ପିଏଫ୍ ଯବାନ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଯବାନ ଜଣକ ଜଣେ ଶିକ୍ଷୟିତ୍ରୀଙ୍କ ପଛରେ ପଡ଼ି ପ୍ରେମରେ ବିଫଳ ହେବାରୁ ସେ ତାଙ୍କ ଘରେ ପଶି ସ୍କୁଟି ଜାଳି ଦେଇଛନ୍ତି। ଏମିତି ଏକ ଘଟଣା ଦେବଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଶନିବାର ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିଆରପିଫ ଯବାନ ଆଲୋକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଦେବଗଡ଼ ଥାନାଞ୍ଚଳର ଜଣେ ବିବାହିତ ମହିଳା ଏକ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ​ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ବସାଲଇ ଗ୍ରାମର ଆଲୋକ ସାମଲ ଗତ କିଛିଦିନ ପୂର୍ବେ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ। ଏହି ସମୟରେ ଆଲୋକ ପଡ଼ୋଶୀ କୁଣ୍ଡାପିଠା ଗ୍ରାମର ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପିଛା କରୁଥିଲେ। ଏଥିସହ କୌଣସି ପ୍ରକାରେ ଉକ୍ତ ଶିକ୍ଷୟିତ୍ରୀଙ୍କ ମୋବାଇଲ ଫୋନ ନମ୍ବର ପାଇ ବାରମ୍ବାର ଫୋନ କରି ହଇରାଣ କରିଥିବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ଫୋନକୁ ବ୍ଲକ୍ କରିଥିଲେ । ଶୁକ୍ରବାର ସକାଳେ ଶିକ୍ଷୟିତ୍ରୀ ଜଣକ ବସ ଯୋଗେ ସ୍କୁଲକୁ ଯିବାପାଇଁ ରାସ୍ତାରେ ଅପେକ୍ଷା କରିଥିବା ସମୟରେ ଆଲୋକ ସେଠାରେ ପହଞ୍ଚି ଧମକ ଦେବା ସହ କଥା ହେବାକୁ ଜିଦ ଧରିଥିଲେ । ମାତ୍ର ବସ ଆସିବାରୁ ଶିକ୍ଷୟିତ୍ରୀ ଜଣକ ବସରେ ଚଢ଼ି ସ୍କୁଲକୁ ଚାଲି ଯାଇଥିଲେ।
ଶୁକ୍ରବାର ସଂଧ୍ୟାରେ ଶିକ୍ଷୟିତ୍ରୀଙ୍କ ଶାଶୂଙ୍କ ଚିକିତ୍ସା ନିମନ୍ତେ ନିଜ ସ୍ୱାମୀଙ୍କ ସହ ଡାକ୍ତରଖାନା ଆସିଥିବା ବେଳେ ଆଲୋକ ତାଙ୍କ ଘରକୁ ଯାଇଥିବା ସେ ଜାଣିବାକୁ ପାଇଥିଲେ। ଚିକିତ୍ସାଳୟରୁ ଫେରି ଶିକ୍ଷୟିତ୍ରୀ ଜଣକ ନିଜ ଘର ପର୍ଟିକୋରେ ସ୍କୁଟି ରଖି ଖିଆପିଆ ସାରି ଶୋଇଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କ ସ୍କୁଟି ଜଳୁଥିବା ଶିକ୍ଷୟିତ୍ରୀ ଜଣକ ଦେଖିବାକୁ ପାଇଥିଲେ । କିଛି ସମୟ ପରେ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ଯିବା ସହ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଆଲୋକର ସମ୍ପୃକ୍ତି ଥିବା ସନ୍ଦେହ କରି ଶିକ୍ଷୟିତ୍ରୀ ଜଣକ ଶନିବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଆଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/deb-1.jpg)