ଦେବଗଡ/ରିଆମାଳ: ୧୨ ବର୍ଷର ନାବାଳିକା ଝିଅକୁ ବିବାହ ଉଦ୍ଦେଶ୍ୟରେ ମାତ୍ର ୫ ହଜାର ଟଙ୍କାରେ ବିକ୍ରି ଉଦ୍ୟମ ହୋଇଛି। ଝିଅକୁ ଜଣେ ବିବାହିତ ବ୍ୟକ୍ତିଙ୍କୁ ବିକ୍ରି ପାଇଁ ନିଜେ ବାପା ଏଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କୌଶଳକ୍ରେମେ ଝିଅ ଖସି ଆସି ତା’ର ବଡ଼ଭଉଣୀ ଘରେ ଆଶ୍ରୟ ନେଇଥିଲା ବେଳେ ଗୁରୁବାର ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ଝିଅର ବାପା ଓ ବିବାହ କରିବାକୁ ଥିବା ପୁଅର ବାପାକୁ ଅଟକ ରଖାଯାଇଛି। ଉକ୍ତ ନାବଳିକାକୁ ତା’ର ବଡ଼ ଭଉଣୀଠାରୁ ନେଇ ଯିବା ପାଇଁ ଉଭୟେ ଗୁରୁବାର ଉଦ୍ୟମ କରୁଥିଲେ। ଗ୍ରାମବାସୀ ବିରୋଧ କରିବାରୁ ଏହି ଘଟଣା ପ୍ରଘଟ ହୋଇଛି। ଖବରପାଇ ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀମାନେ ଉକ୍ତ ନାବାଳିକାକୁ ଉଦ୍ଧାର କରିଛନ୍ତି। ବିକ୍ରି ପାଇଁ ଉଦ୍ୟମ ଚଳାଇଥିବା ବାପା ସହ ଆଉ ଜଣକୁ ପୁଲିସ୍ ଜିମାରେ ଦିଆଯାଇଛି।
ନାବାଳିକାର ବଡଭଉଣୀକୁ ମଧ୍ୟ ତା’ର ବାପା ୭ ବର୍ଷ ତଳେ ମଧ୍ୟପ୍ରଦେଶରେ ବିକ୍ରି କରିଥିବା ଶିଶୁ ସୁରକ୍ଷା ୟୁନିଟ୍ର ତଦନ୍ତରୁ ଜଣାପଡିଛି। ସେହି ଝିଅର ଏଯାଏ କୌଣସି ସଂଧାନ ମିଳି ନଥିବା ଜଣାପଡ଼ିଛି। ଜେରା ବେଳେ ଝିଅର ବାପା ଏହା ସ୍ବୀକାର କରିଛନ୍ତି। ସୂଚନା ଅନୁସାରେ, ଏହି ପରିବାର ୪ ଝିଅଙ୍କ ମଧ୍ୟରୁ ସବୁଠୁ ବଡ଼ ଝିଅ ବିକ୍ରି ହୋଇସାରିଥିବା ବେଳେ ବିକ୍ରି ହେବାକୁ ଥିବା ନାବାଳିକା ତୃତୀୟ ଝିଅ ଅଟନ୍ତି। ଅନୁଗୁଳ ଜିଲ୍ଲାର ଡେଙ୍ଗରିଆ ଅଞ୍ଚଳରେ ରହୁଥିବା ଏହି ପରିବାରର ମୁରବି ତଥା ବାପା ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ୧୨ ବର୍ଷ ବୟସର ଝିଅକୁ ସେହି ଜିଲ୍ଲାର ଶିମିଳିପାଳ ଗ୍ରାମର ଆର୍ତ୍ତ ନାୟକର ବିବାହିତା ପୁଅ ବୁନୁ ନାୟକ ସହ ବିବାହ ପ୍ରତିଶ୍ରୁତି ଦେଇ ଅଗ୍ରିମ ୫ ହଜାର ଟଙ୍କା ଆଣିଥିଲେ। କିଛି ଦିନ ପରେ ଆର୍ତ୍ତ ନାୟକ ଝିଅକୁ ସାଙ୍ଗରେ ନେଇ ଯିବାକୁ ପହଞ୍ଚିଥିଲା। ନାବାଳିକା ଝିଅ ଏ ବିଷୟରେ ଜାଣିପାରି ଘରୁ ଖସି ପଳାଇଥିଲା। ୩ କିଲୋମିଟର ଚାଲିବା ପରେ ଏକ ବସରେ ବସି ଦେବଗଡ ଜିଲ୍ଲା ରିଆମାଳର ବାଘବର ପଞ୍ଚାୟତରେ ଥିବା ନିଜ ବଡ ଭଉଣୀ ଓ ଭିଣୋଇଙ୍କ ଘରକୁ ଆତ୍ମଗୋପନ ପାଇଁ ଚାଲି ଆସିଥିଲା। କିଛି ସମୟ ପରେ ପ୍ରଥମ ଶ୍ରେଣୀରେ ପଢୁଥିବା ସାନ ଝିଅକୁ ଧରି ମାଁ ମଧ୍ୟ ଆସି ପହଞ୍ଚିଥିଲେ। ୨ ଦିନ ପରେ ଝିଅର ବାପ ଓ ବିବାହ କରିବାକୁ ଥିବା ପୁଅର ବାପ ବାଘବର ଅଞ୍ଚଳରେ ଆସି ପହଞ୍ଚିଥିଲେ। ଏକ ଅଟୋ ରିକ୍ସାରେ ଝିଅକୁ ଜୋର ଜବରଦସ୍ତି ନେବାକୁ କହିବାରୁ ଦୃଢ ଭାବେ ବିରୋଧର ସମ୍ମୁଖୀନ ହୋଇଥିଲେ। ସେଠାରୁ ଝିଅ ଖସି ଯାଇ ଗ୍ରାମର ଆଉ ଜଣଙ୍କ ଘରେ ଲୁଚିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ ଓ ରିଆମାଳର ଚାଇଲ୍ଡଲାଇନ ସଂଯୋଜକ ସୁନୀଲ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ନାବାଳିକା ଓ ବିବାହ କରିବାକୁ ଥିବା ପୁଅର ବାପା ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଅଟକ ରଖି ଖଇରପାଲି ଥାନାଧିକାରୀ ବିଜୟ ଦେହୁରୀଙ୍କୁ ସୂଚନା ଦିଆଯାଇଥିଲା। ଖଇରପାଲି ଫାଣ୍ଡି ଓ କୁଣ୍ଢେଇଗୋଳା ଥାନା ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସିଡବ୍ଲୁସି ପକ୍ଷରୁ ନାବାଳିକାକୁ ସ୍ବଧାର ଗୃହରେ ଆଶ୍ରୟ ଦିଆଯାଇଛି।
୫ ହଜାର ଟଙ୍କାରେ ଝିଅ ବିକ୍ରି ଉଦ୍ୟମ
ସିଡବ୍ଲୁସି ହସ୍ତକ୍ଷେପରେ ନାବାଳିକା ଉଦ୍ଧାର
/sambad/media/post_attachments/wp-content/uploads/2019/05/rupee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)