ନିଖୋଜର ୩ ଦିନ ପରେ ଶବ ଉଦ୍ଧାର

ତରଭା: ତରଭା ଥାନା ପଣ୍ଡକିମାଲ ଗାଁର ଗଣ୍‌ସ ବିଶି(୫୦)ଙ୍କ ମୃତ ଦେହ ବୁଧବାର ବୁଦେଲମୁଣ୍ଡା ଗାଁର ବିସରମୁହାଣ ନାଳରୁ ଉଦ୍ଧାର ହୋଇଛି। ସେ ଗତ ୪ ତାରିଖରୁ ସେ ନିଖୋଜ ଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଗଣ୍‌ସ ନିଜ ଗାଁର ରାଧେଶ୍ୟାମ ସାହୁଙ୍କ ଟ୍ରାକ୍ଟର ଓ ଧାନ ମଡ଼ାଇବା ଥ୍ରେସର ମେସିନରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେ ସୋମବାର କାମ ସାରି ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଆସିଥିଲେ। ପୁଣି ୪ଟାରେ କାମକୁ ଯାଇଥିଲେ। ମାତ୍ର ଆଉ ଘରକୁ ନଫେରିବାରୁ ଗଣ୍‌ସଙ୍କ ସ୍ତ୍ରୀ ଭାଗ୍ୟବତୀ ରାଧେଶ୍ୟାମଙ୍କ ଘରକୁ ଯାଇ ସ୍ୱାମୀଙ୍କ ବିଷୟରେ ପଚାରିଥିଲେ। ମାତ୍ର ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ମଙ୍ଗଳବାର ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ଗଣ୍‌ସଙ୍କ ଭାଇ ଇନ୍ଦ୍ର ଓ ବିମ୍ବାଧର ଧ୍ରୁବ ରଣାଙ୍କ ଚାଷ ଜମି ନିକଟସ୍ଥ ବିସରମୁହାଣ ନାଳରେ ଏକ ଗୋଲାପି ରଙ୍ଗର ସାଲ ଭାସୁଥିବା ଦେଖି ସନ୍ଦେହରେ ନାଳ ମଧ୍ୟକୁ ଯାଇ ଖୋଜା ଖୋଜି କରିବା ପରେ ଗଣ୍‌ସଙ୍କ ମୃତ ଦେହ ମିଳିଥିଲା।

ଏ ସଂକ୍ରାନ୍ତରେ ମୃତ ଗଣ୍‌ସଙ୍କ ଶଳା ଦାସ ଷାଣ୍ଢ ଥାନାକୁ ଖବର କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଟ୍ରାକ୍ଟର ମାଲିକ ରାଧେଶ୍ୟାମ ସାହୁ, ଟ୍ରାକ୍ଟର ଡ୍ରାଇଭର ଗଙ୍ଗା ନାଗ ଓ ଧାନ ମଡାଇବା ପାଇଁ ଯାଇଥିବା ଧାନ ମାଲିକ ଦଶରଥ ସାହୁଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଟ୍ରଲି ବିହୀନ ନାଲିଆ ରଙ୍ଗର ମହିନ୍ଦ୍ରା ଟ୍ରାକ୍ଟର (ଓଡି ୩୧ ଡି ୪୧୦୬)କୁ ଜବତ କରିଛି। ପୁଲିସ ଶବ ଜବତ କରି ଅପରାହ୍‌ଣରେ ତରଭା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କଠାରୁ ପ୍ରକାଶ। ତାଙ୍କ ୨ଟି ବଢିଲା ଝିଅ ଓ ଗୋଟିଏ ୧୦ବର୍ଷର ପୁଅ ଅଛି। ବର୍ତ୍ତମାନ ପରିବାରର ଏକମାତ୍ର ରୋଜଗାରକ୍ଷମ ସ୍ୱାମୀଙ୍କ ମୃତ୍ୟୁ ନେଇ ସ୍ତ୍ରୀ ଭାଗ୍ୟବତୀ ଭାଙ୍ଗି ପଡିଛନ୍ତି। ତେବେ ସୋମବାର ସନ୍ଧ୍ୟାରେ ବୁଦେଲମୁଣ୍ଡା ନିକଟସ୍ଥ ଦୁଇବାଟିଆ ଛକ ମୁରୁମ ରାସ୍ତା ଠାରେ ଗାଡ଼ି ଓଲଟି ଚାପିହୋଇ ଗଣ୍‌ସ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଚର୍ଚ୍ଚା କରୁଥିବା ଶୁଣାଯାଉଛି।

ସମ୍ବନ୍ଧିତ ଖବର