ଦେବଗଡ଼: ଦେବଗଡ଼ ସହରାଞ୍ଚଳରେ ପାଣି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଉଛି। ନିର୍ବାଚନ ପରେ ନିର୍ବାଚନ ମଧ୍ୟ ଯାଇଛି। ହେଲେ, ଦେବଗଡ଼ ସହରର ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରାହ୍ମଣୀ ନଦୀରୁ ୩୯ କୋଟି ଟଙ୍କା ବ୍ୟୟ ଅଟକଳର ଜଳଯୋଗାଣ ପ୍ରକଳ୍ପ ଏବେ ସୁଦ୍ଧା ବନ୍ଦ ଫାଇଲ୍ରୁ ବାହାରି ପାରୁନାହିଁ।
ପାରମ୍ପରିକ ଭାବେ ପ୍ରଧାନପାଟ ଜଳପ୍ରପାତ ତଥା ଜଳଉତ୍ସ ହିଁ ସହରବାସୀଙ୍କ ଶୋଷ ମେଣ୍ଟାଇ ଆସୁଛି। ଧୀରେ ଧୀରେ ପ୍ରପାତର ଜଳଧାର ଶୁଖିବାରେ ଲାଗିଥିବା ସମୟରେ ଭୂତଳ ଜଳସ୍ତର ମଧ୍ୟ କମି କମି ଯାଉଛି। ପୂର୍ବରୁ ମେ ଓ ଜୁନ ମାସରେ ପାଣିର ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ଶୀତ ଦିନରେ ପାନୀୟ ଜଳ ପାଇବା ପାଇଁ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି କେବେ ଦେଖିବାକୁ ମିଳୁ ନଥିଲା। ଏପରି ସ୍ଥିତିରେ ସଙ୍କଟର ସମାଧାନ ନିମନ୍ତେ କଦଳୀପାଳ ରେଙ୍ଗାଳୀ ନଦୀବନ୍ଧ ରିଜର୍ଭରୁ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୯ କୋଟି ବ୍ୟୟ ଅଟକଳ ମଧ୍ୟ କରାଯାଇଥିଲା। ଏହା ବୁଡି ପାଣି ହୋଇଥିବାରୁ ପ୍ରକଳ୍ପ ନାକଚ ହୋଇଥିଲା। ପରେ ଦେବଗଡ ସହରରୁ ୩୦ କିମି ଦୂର ବାରକୋଟ ବ୍ରାହ୍ମଣୀ ନଦୀରୁ ଜଳଯୋଗାଣ ପ୍ରକଳ୍ପର ପ୍ରସ୍ତାବ ସରକାରଙ୍କଠାରୁ ଅନୁମୋଦନ ହୋଇ ଆସିପାରୁ ନାହିଁ। ଏହି ପ୍ରକ୍ରିୟାରେ ରାଜନେତା ଓ ଜିଲ୍ଲା ପ୍ରଶାସନର ଚରମ ଉଦାସୀନତା ପରିଲକ୍ଷିତ ହୋଇଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବ୍ରାହ୍ମଣୀରୁ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣର ସୁବ୍ୟବସ୍ଥା କରାଯିବ ବୋଲି ମଧ୍ୟ କୁହାଯାଇଛି। ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ନିର୍ବାଚନ ଫଳାଫଳ ଘୋଷଣା ପରେ ଜନପ୍ରତିନିଧିଙ୍କ ଆନ୍ତରିକତା ଉପରେ ନିର୍ଭର କରିବ।
ଅପରପକ୍ଷରେ ପ୍ରଧାନପାଟ ଜଳଉତ୍ସରୁ ପାଇପ୍ ଯୋଗେ ଦେବଗଡ଼ ପୌରାଞ୍ଚଳକୁ ଯୋଗାଣ ହେଉଥିବା ପାଣି ପର୍ଯ୍ୟାପ୍ତ ହେଉନାହିଁ। ଦୈନିକ ୩ ଲକ୍ଷ ୨୦ ହଜାର ଲିଟର ପାଣିର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ କିନ୍ତୁ ପ୍ରଧାନପାଟ ଜଳପ୍ରପାତରୁ ମାତ୍ର ୧ ଲକ୍ଷ ଲିଟର ପାଣି ସଂଗୃହୀତ ହେଉଛି। ପ୍ରଧାନପାଟ ନିକଟରେ କରାଯାଇଥିବା ଗଭୀର ନଳକୂପରୁ ୮୦ ହଜାର ଲିଟର ପାଣି ଯାହାକି ସର୍ବମୋଟ ମାତ୍ର ୧.୮ ଏମଏଲ୍ଡ଼ି ପାଣି ସଂଗୃହୀତ ହୋଇପାରୁଛି। ୩ ଲକ୍ଷ ୨୦ ହଜାର ଲିଟର ବଦଳରେ ମିଳୁଛି ମାତ୍ର ୧.୮ ଏମଏଲଡି ପାଣି। ଯାହାକି ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନି। ଏହାର ବିକଳ୍ପ ପାଇଁ ରେଙ୍ଗାଳୀ ନଦୀବନ୍ଧର ତୋଡାପାଣି (ବେକ୍ ଓ୍ୱାଟର)କୁ ଗାଡପାଳ ନିକଟରେ ଚେକ୍ ଡ୍ୟାମକରି ଏହି ଜଳ ସଂଗ୍ରହ ପ୍ରକଳ୍ପ ମଧ୍ୟ ହୋଇପାରିଲା ନାହିଁ। ବ୍ରାହ୍ମଣୀ ନଦୀରୁ ୩୫ କୋଟିର ପ୍ରକଳ୍ପକୁ କେବେ ମଞ୍ଜୁରୀ ମିଳୁଛି ସେନେଇ ସହରବାସୀ ଏବେ ଚାତକ ପରି ଚାହିଁ ରହିଛନ୍ତି। ଉକ୍ତ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହୀତ ଅପେକ୍ଷାରେ ରହିଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ, ଦେବଗଡ଼ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଛି। ଏହା କେବେ ରୂପାନ୍ତରିତ ହେବ ସହରବାସୀ ଏବେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି।
ଦେବଗଡ଼: ପ୍ରଧାନପାଟ ଜଳଧାର ମେଣ୍ଟାଉନି ଶୋଷ ,ଅଟକିଛି ବ୍ରାହ୍ମଣୀ ପ୍ରକଳ୍ପ
/sambad/media/post_attachments/wp-content/uploads/2019/04/drinking-water-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)