ଆସନ୍ତା ଶନିବାର ଓ ରବିବାର ଦେବଗଡ଼ ପୌରାଞ୍ଚଳରେ ହେବ ସଟଡାଉନ

ଦେବଗଡ଼: ଦୁଇ ଦିନ ପାଇଁ ସଟଡାଉନରେ ରହିବ ଦେବଗଡ଼ ପୌରାଞ୍ଚଳ | କରୋନା ଭୁତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବଗଡ଼ ପୌରାଞ୍ଚଳକୁ ଆସନ୍ତା ଶନିବାର ଓ ରବିବାର (୧୮.୦୭-୨୦ରୁ ୧୯.୦୭.୨୦) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତାଲାବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି | ଏହା ଆସନ୍ତା ଶନିବାର ସକାଳ ୫ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ଯାଏଁ ବଳବତ୍ତର ରହିବ | ଏହି ସମୟରେ କେବଳ ଔଷଧ ଦୋକାନ ଓ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଦୋକାନ ଖୋଲାଯାଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ |

ଏହା ବ୍ୟତୀତ ଫଳ, ପନିପରିବା, ତେଜରାତି, କ୍ଷୀର ଓ ମାଂସ ଦୋକାନ କେବଳ ସକାଳ ୬ଟାରୁ ୧୦ଟା ଯାଏଁ ଖୋଲା ରହିପାରିବ | ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ମଧ୍ୟ ଖୋଲାରହିବାକୁ କୁହାଯାଇଥିବାବେଳେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ କଟକଣା ରହିବ | କର୍ମଚାରୀମାନେ ନିଜ ନିଜର ପରିଚୟପତ୍ର ଦେଖାଇ କାର୍ଯ୍ୟାଳୟ ମଧ୍ୟକୁ ଯାଇପାରିବେ |

ସେହିପରି ସର୍ବସାଧାରଣ ଯାତାୟାତ ଓ ସମସ୍ତ ଯାନବାହାନ ଚଳପ୍ରଚଳ ଉପରେ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲ ପ୍ରଶାସନ ପକ୍ଷରୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ଦେବଗଡ଼ରେ ଆଜି ସୁଦ୍ଧା ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ବର୍ତ୍ତମାନ ୪ଟି ଆକ୍ଟିଭ ମାମଲା ରହିଛି |

ସମ୍ବନ୍ଧିତ ଖବର