ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ:ଏସ୍‌ପିଙ୍କ ନିର୍ଦେଶରେ ଢାବା ମାଲିକ ଅଟକ

ଦେବଗଡ଼: ତିନି ଭଉଣୀ ଛୋଟ ଥିବା ବେଳେ ସେମାନଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କ ସହ ଚାଲି ଯାଇଥିଲା ମା’। ମଦ୍ୟପ ବାପା ବି ଘରେ ନିଆଁ ଲଗାଇ ଦେଇ ଜେଲ ଗଲା। ମା’ ବାପା ଥାଇ ମଧ୍ୟ ବାପା ମା’ ଛେଉଣ୍ଡ ହୋଇ ପଡିଥିଲେ ତିନିଭଉଣୀ। କାକାଙ୍କ ଘରେ ଆଈ ଓ ଅବିବାହିତା ଅପା ସହ ଆଶ୍ରୟ ନେଇଥିଲେ। ଅର୍ଥ ଉପାର୍ଜନ ନିମନ୍ତେ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ପଡ଼ୁଥିଲା। ଅବିବାହିତା ଅପା ଖଡିନାଳି ଗ୍ରାମରେ ଏକ ଢାବା ହୋଟେଲ ଖୋଲିଥିବା ଗୋଗୀ ସିଂ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡି ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ। ବଡ ଭଉଣୀଦ୍ୱୟଙ୍କୁ ପ୍ରଭାବିତ କରି ଢାବାରେ ବାସନ ମାଜିବା କାର୍ଯ୍ୟରେ ଲଗାଇଥିଲେ। ବଡ ଭଉଣୀକୁ କୌଣସି ଦଲାଲ ହାତରେ ବିକ୍ରି କରି ଦେଇଥିଲେ।

ପୁଣି ସାନ ଭଉଣୀକୁ ମଧ୍ୟ ପରେ ମଦ ଢାଳିବା ଓ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ। ଢାବା ମାଲିକ କୁଆଡେ ନିଜେ ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଏ ସମ୍ପର୍କରେ ନାବାଳିକା ଜଣକ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ପରେ ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଜଣକ ଭୁବନେଶ୍ୱର ସ୍ଥିତ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ୍‌ କାଉନସିଲର ରାଜ୍ୟ ସଭାନେତ୍ରୀ ସସ୍ମିତା ଦାସଙ୍କ ସହଯୋଗ ଲୋଡିଥିଲେ। ଶ୍ରୀମତୀ ଦାସ ପୀଡ଼ିତାଙ୍କ ଘରକୁ ଯାଇ ଆଲୋଚନା କରିଥିଲେ। ଦେବଗଡ଼ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶରେ ବାରକୋଟ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଢାବା ମାଲିକ ଗୋଗି ସିଂକୁ ଥାନାକୁ ଆଣି ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର