ଦେବଗଡ଼ରୁ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ, ୫ ଗିରଫ
କଳାହାଣ୍ଡିରୁ ୬୬ ହଜାର ୫୦୦ ଟଙ୍କା ଜାଲ ନୋଟ୍ ଜବତ, ଜଣେ ଅଟକ
ଦେବଗଡ଼/କଳାହାଣ୍ଡି: ଦେବଗଡ଼ ପୁଲିସ ଚଢ଼ାଉ କରି ମଙ୍ଗଳବାର ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦେବଗଡ଼ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏସ୍ଡିପିଓ ସୁଲେମାନ୍ ଏକ୍କା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ଲକ୍ଷ ୭୪ ହଜାର ଟଙ୍କାର ଜାଲ୍ ନୋଟ୍ କାରବାରରେ ସଂଶ୍ଲିଷ୍ଟ ଦେବଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମର ଦାଉରୀ ଦେହୁରୀଙ୍କ ପୁତ୍ର ଝସକେତନ ଦେହୁରୀ ଓରଫ ପଞ୍ଚୁ(୨୫), ବାରକୋଟ ଥାନାର ନଳବନ୍ଧା ଗ୍ରାମର ରାଜୀବ ବେହେରାଙ୍କ ପୁଅ ପ୍ରତାପ ବେହେରା(୨୨), ରିଆମାଳ ଥାନା ଅନ୍ତର୍ଗତ ତବଡ଼ା ଗ୍ରାମର କ୍ଷେତିଚରଣ ବିଶ୍ୱାଳଙ୍କ ପୁଅ ସୁଦନ ବିଶ୍ୱାଳ ଓରଫ କାଳିଆ (୨୬), ଯୁଧିଷ୍ଠୀର ଭୋଇଙ୍କ ପୁଅ ସୁମନ୍ତ ଭୋଇ(୨୪) ଓ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇନଗର ଗ୍ରାମର ରବି ସାହୁଙ୍କ ପୁତ୍ର କିଶୋର ସାହୁ(୩୭) ଗିରଫ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ୍କା କହିଛନ୍ତି ଅଭିଯୁକ୍ତମାନଙ୍କ ଠାରୁ ୨ଟି ମୋବାଇଲ, କ୍ୟାମିକାଲ ଓ ଜାଲ ନୋଟ୍ ଛପା କାରଖାନାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରିଥିଲା।
ସେହିପରି କଳାହାଣ୍ଡି ପୁଲିସ କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଗାଁରୁ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକକୁ ଅଟକ ରଖାଯାଇଛି। ଟିଟିଲାଗଡ଼ ଅଞ୍ଚଳର ଗୋପୀନାଥ ରାଓ ପଲମ ଗାଁରେ ପାନ ଦେକାନରେ ୫୦୦ଟଙ୍କା ଦେଇ ଜିନିଷ କିଣିଥିଲେ। ଏହି ନୋଟ୍କୁ ଦେଖି ଦୋକାନୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ସେ ଏସମ୍ପର୍କରେ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ସଂପୃକ୍ତ ଯୁବକଙ୍କୁ ଅଟକାଇ ୬୬ ହଜାର ୫୦୦ଟଙ୍କା ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ।