ଦେବଗଡ଼: ଦେବଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି, ଯାହା ଫଳରେ ବର୍ତ୍ତମାନ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି। ଶିଳ୍ପ ବିହୀନ ଜିଲ୍ଲାରେ ଦିନକୁ ଦିନକୁ ଉତ୍ତାପ ବୃଦ୍ଧିପାଇବା ସହିତ ରବିବାର ପ୍ରବଳ ତାତି ଅନୁଭୂତ ହୋଇଥିଲା। ବାରକୋଟ ବ୍ଲକର ରାଇତାବାହାଳ ତଥା ଆଖପାଖ ଅଂଚଳର ରବିବାର ଦ୍ବିପହର ସମୟରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ଦେବଗଡ଼ ଜିଲ୍ଲାରେ ଶିଳ୍ପ କାରଖାନା ନ ଥିବାବେଳେ ଜାତୀୟ ରାଜପଥ ପ୍ରଶସ୍ତିକରଣ ଯୋଗୁଁ ରାଜପଥରେ ପାର୍ଶ୍ବରେ ଥିବା ଗଛଗୁଡିକୁ କଟାଯାଇଥିଲା। ତେବେ ଯେତିକି ପରିମାଣ ଗଛ କଟାଯାଇଥିଲା , ସେତିକି ପରିମାଣର ବୃକ୍ଷରୋପଣ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଲଗାଯାଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ପଟେ ପୁଣି ଜଙ୍ଗଲରେ ବିଭିନ୍ନ ସମୟରେ ନିଆଁ ଲାଗିବା ଦ୍ବାରା ବହୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ଜଙ୍ଗଲରେ ରହୁଥିବା ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଏପରି ପ୍ରତିବର୍ଷ ନିଆଁ ଲାଗିବା ଦ୍ବାରା ବୃକ୍ଷଲତା ନଷ୍ଟ ହେବା ସହିତ ଜଙ୍ଗଲ ସୁରକ୍ଷା ହେଉ ନ ଥିବାରୁ ସାଧାରଣତଃ ଲୋକମାନଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏପରି ବାରମ୍ବାର ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି।