ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ନାମଞ୍ଜୁର

ସମ୍ବଲପୁର/ଭୁବନେଶ୍ୱର/ଦେବଗଡ଼: ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ଆବେଦନକୁ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହେବା ପରେ ସଞ୍ଜୀବଙ୍କୁ ସମ୍ବଲପୁର ଉପଖଣ୍ଡସ୍ତରୀୟ ବିଚାରବିଭାଗୀୟ ମଜେିଷ୍ଟ୍ରେଟକୁ ଚାଲାନ କରାଯାଇଥିଲା।

କ୍ରାଇମବ୍ରାଞ୍ଚ ଶାଖା ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ଗିରଫ କରାଯାଇଛି। ବିଧାୟକ ପ୍ରଧାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଦଫା ୪୨୦, ୪୦୬, ୪୬୫, ୪୬୭, ୪୬୮, ୪୭୧ ଓ ୧୨୦-ବିରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ମାମାଲାରେ ଜମିଅଧିଗ୍ରହଣ, ବିସ୍ଥାପନ ଓ ପୁନଃର୍ବାସ ଦାୟିତ୍ୱରେ ଥିବା ଅଧିକାରୀ ସୁବାଷ ଚନ୍ଦ୍ର ସାହୁ ୨୦୧୫ ଜୁନ ୨୨ରେ ଗିରଫ ହୋଇ କୋର୍ଟ ଚାଲାନ ହୋଇଥିଲେ।

ମାମଲା ଥିଲା ଏମିତି
ଦେବଗଡ଼ ସହରର ଓ୍ଵାର୍ଡ ନମ୍ବର-୪ ନିବାସୀ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ପୁଅ ସଞ୍ଜୀବ ୨୭,୦୧,୮୪୮ଟଙ୍କା ଅନୀୟମିତତା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଅନୁଗୁଳ ଜିଲ୍ଲା ରେଙ୍ଗାଲୀର ମୌଜା ଭଟ୍ଟସିଂହରେ ୧୯୭୩ରେ ଆରମ୍ଭ ହୋଇଥିବା ରେଙ୍ଗାଲି ବହୁମୂଖୀ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଥିଲେ। ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହୋଇଥିବା ପ୍ରକଳ୍ପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଶିଳାନ୍ୟାସ କରିଥିଲେ। ପ୍ରକଳ୍ପରେ ଜମି ହରାଇଥିବା ମଧୁସୂଦନ ଗଡ଼ନାୟକ ଓ ତାଙ୍କର ଭାଇ ଶିବ ପ୍ରସାଦ ଗଡ଼ନାୟକ ନିଜର ପ୍ରାପ୍ୟ ପାଇବାକୁ ଦେବଗଡ଼ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଦାୟିତ୍ୱ ନେଇଥିଲେ ଆଇନଜୀବୀ ତଥା ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ। କିନ୍ତୁ ସଞ୍ଜୀବ ଜାଲିଆତି କରି ମଧୁସୂଦନ ଓ ଶିବ ପ୍ରସାଦଙ୍କ ଟଙ୍କାକୁ ନେଇ ଯାଇଥିଲେ।

ବିଜେଡ଼ି ପାଇଁ କାମ କରୁଥିଲେ ସଞ୍ଜୀବ
ବହୁ ଅଭିଯୋଗ ଆସିବା ପରେ ସଞ୍ଜୀବ ପ୍ରଧାନଙ୍କୁ ୨୦୧୫ରେ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା। କିନ୍ତୁ ସଞ୍ଜୀବ ପ୍ରଧାନ ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଥିଲେ। ଦେବଗଡ଼ ଅଞ୍ଚଳରେ ସମ୍ବଲପୁର ସାଂସଦଙ୍କ ସହିତ ବିଜେଡ଼ି କାର୍ଯ୍ୟକ୍ରମରେ ଅନେକ ଥର ଦେଖିବାକୁ ମିଳୁଥିଲା।

ସଞ୍ଜୀବଙ୍କ ରାଜନୈତିକ ଜୀବନ
୨୦୦୯ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସଞୀବ ବିଜୁ ଜନତା ଦଳରେ ସାମିଲ ହୋଇ ଟିକେଟ ହାତେଇ ଥିଲେ। ବିଧାୟକ ହେବା ପରେ ୨୦୧୧ରେ ରେଙ୍ଗାଲି ବିସ୍ଥାପିତ ଅଞ୍ଚଳର ଲୋକେ ସଞ୍ଜୀବଙ୍କ ବିରୋଧରେ ଅଭିଯୋଗ ଆଣି ଗିରଫ ଦାବି କରିଥିଲେ। ୨୦୧୩ରେ ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଅର୍ଥନୈତିକ ଅପରାଧ ଶାଖାକୁ ଦାୟିତ୍ୱ ଦିଆଯାଇଥିଲା। ବିଜେଡ଼ି ନେତାଙ୍କ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିବା ପରେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କ ସ୍ଥାନରେ ତାଙ୍କର ପତ୍ନୀ ଅନୀତା ପ୍ରଧାନଙ୍କୁ ଟିକଟ ଦିଆଯାଇଥଲା। ଅନୀତା ପ୍ରାୟ ୩୯,୦୦୦ ଭୋଟରେ ଭାରତୀୟ ଜନତା ପାର୍ଟିର ନୀତେଶ ଗଙ୍ଗଦେବଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହା ପରେ ମଧ୍ୟ ବିସ୍ଥାପିତମାନେ ସ୍ୱର ଉତ୍ତୋଳନ କରିବା ବନ୍ଦ କରି ନ ଥିଲେ।

ସମ୍ବନ୍ଧିତ ଖବର