ଦେବଗଡ଼: ଆଜି ୧୯ ତାରିଖରୁ ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେଉଛି। ୨୯ ତାରିଖ ଦିନ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୯୪୯ ମସିହାରୁ ଆରମ୍ଭ ହୋଇଥିବା ଦେବଗଡ଼ର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପହଞ୍ଚିଛି। ତେବେ ପ୍ଲାଟିନମ ଜୁବଲି ଅବସରରେ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି।
/sambad/media/post_attachments/wp-content/uploads/2023/09/deb-300x200.jpg)
ସୋମବାର ସଂଧ୍ୟାରେ ଗଣେଶ ମେଳାର ଆୟୋଜକ ଦେବଗଡ଼ ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ଶମ୍ଭୁନାଥ ଗୋଏଲଙ୍କ ନେତୃତ୍ୱରେ ପ୍ରଧାନପାଟଠାରୁ କଳସ ଯାତ୍ରା କରାଯାଇ ନଗର ପରିକ୍ରମା କରିବା ପରେ ସହରର ମଧ୍ୟରେ ପୂଜା ହେଉଥିବା ସ୍ଥାନରେ ପହଞ୍ଚି କଳସ ସ୍ଥାପନ କରାଯିବା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କ ବିଗ୍ରହକୁ ନେଇ ପୂଜା ହେଉଥିବା ସ୍ଥାନରେ ଭକ୍ତମାନେ ଘଣ୍ଟବାଦ୍ୟ ସହିତ ଆସ୍ଥାନରେ ନେଇ ରଖାଯାଇଛି। ସଂଧ୍ୟାରେ ଦେବଗଡ଼ ଏସପି ପ୍ରଦ୍ୟୁମ୍ନ ମିଶ୍ର ପୂଜା ହେଉଥିବା ସ୍ଥାନ ପରିଦର୍ଶନ କରିବା ସହିତ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ। ପୂଜା ଅବସରରେ ମୀନାବଜାର, ଦୋଳି ଏବଂ ପ୍ରତ୍ୟହ ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଭଜନସଂଧ୍ୟା, ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନପାଟସ୍ଥିତ ବଡ଼ବଗିଚାଠାରେ ଟିକେଟ ସୋ’ ଅପେରା ଏବଂ ପ୍ରଧାନପାଟ ରୋଡ୍ର ପୁରୁଣା ପେଟ୍ରୋଲପମ୍ପ ଠାରେ ଫ୍ରି’ସୋ ଅପେରାର ଦର୍ଶକ ମାନେ ମଧ୍ୟ ମଜା ଉଠାଇପାରିବେ।
ପୂଜା କମିଟି ପକ୍ଷରୁ ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଲଟେରି ମାଧ୍ୟମରେ ଶ୍ରୀ ଗଣେଶ ଆଶୀର୍ବାଦ ଲଡୁ ଉଠାଣ କରାଯିବ ଏବଂ ୩୦ ତାରିଖ ଦିନ ଭାଗ୍ୟଶାଳୀ ବିଜେତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ପୁଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍ପି, ୨ଜଣ ଡିଏସ୍ପି, ୩୫ଜଣ ପୁଲିସ ଅଧିକାରୀ, ୪ ପ୍ଲାଟୁନ ପୁଲିସଙ୍କୁ ନିୟୋଜିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/deo-1.jpg)